STORYMIRROR

Shashanka sekhar Ray

Thriller Others

3  

Shashanka sekhar Ray

Thriller Others

ମୁଁ ରୋବର୍ଟ କହୁଛି

ମୁଁ ରୋବର୍ଟ କହୁଛି

1 min
360

ଆକାଶରୁ ତୋଳିଆଣିବି ଜହ୍ନ

ଟେକା ମାରି ଝଡାଇପାରିବି ତାରାମାନଙ୍କୁ

ସୂର୍ଯ୍ୟ ସାଥେ ବଳ କଷିପାରିବି ଚତୁରତାରେ

ପାହାଡ ବଣଲତା ମାନଙ୍କୁ ମୋଡି ମାଡି 

ହଜମ କରିପାରିବି ଅକ୍ଳେଶରେ ।

ନିଆଁ ପାରିବନି ପୋଡି 

ପାଣି ପାରିବନି ବୁଡାଇ

ପବନ ପାରିବନି ଉଡାଇ କେବେ ମୋତେ

ମୁଁ ବିଜ୍ଞାନର ବରପୁତ୍ର 

ଅମରବର ପାଇଛି ଏ ମର୍ତ୍ତରେ ।

ନାହିଁ ଭୟ ଶୀତ ବର୍ଷା ଖରାର ପ୍ରକୋପ

ଆଧୁନିକ ସାଞ୍ଜୁ ପିନ୍ଧି ଧରିଛି ବିଜ୍ଞାନର ଢାଲ

ସବୁ ଶତ୍ରୁଙ୍କୁ କରିପାରିବି ପରାସ୍ତ 

କିନ୍ତୁ ନିଜେ ହାରିଯାଉଥିବି ନିଜପାଖେ

ନିଜ ଛାଇ ମୋତେ ଡରାଏ ଭାରି

ଏକା ଏକା ବସିଗଲେ ମୁଁ ନିରୋଳାରେ ।

ସବୁକିଛି ହାତ ପାହାନ୍ତାରେ ମିଳିଗଲେ

କଣ ସବୁ ସୁଖ ମିଳିଯାଏ

କିଛି କିଛି ମୂଲ୍ୟବାନ ଦ୍ରବ୍ୟ ହରାଇବାକୁ ପଡେ 

ଏଇ ଯେମିତି ହରାଇସାରିଛି

ମୁଁ କେତେ କ'ଣ ତାର ହିସାବ ନାହିଁ 

ଭୁଲି ଯାଇଛି ମଣିଷପଣିଆ

ସ୍ନେହ ଶ୍ରଦ୍ଧା ନିଚ୍ଛକ ଭଲପାଇବା 

ଦୂରେଇ ଦେଇଛି ଶାନ୍ତିକୁ ସାବତ ପୁଅ ପରି

ଯନ୍ତ୍ରମାନଙ୍କ ପଛେ ଗୋଡାଇଚାଲିଛି ଏକା ଏକା

ଦିନରାତି ଅଣନିଶ୍ଵାସୀ ହୋଇ ।

ବରଂ ଭଲଥିଲା ଅତୀତର ସେଦିନ ସବୁ

ବହଳବହଳ ଅନ୍ଧାରେ ଡରକୁଳା ଜୀବନ

ଚିରାଫଟା ଲଙ୍ଗଳା ସମୟ

ଜଙ୍ଗଲ ଝରଣାର ମିଠା ମିଠା ଜଳ

ବେଶ ଆତ୍ମିୟତା ତୃପ୍ତିର ସ୍ଵାଦ

ଶାନ୍ତ ସରଳ ସବୁଜ ବନାନୀର କୋକିଳ ତାନ

ନାନାବାୟା ବେସୁରା ଗୀତର ରାଗିଣୀ

 ଭୁଲି ହୁଏନି ସେ ମଧୁର ସ୍ମୃତି।

ଯନ୍ତ୍ରଣା ନ ଥିଲେ ସେ କି ଜୀବନ

ବେସୁରା ସଂଗୀତରେ ବି ମଜା ଥାଏ ନିଆରା

ଆସ ଆମେ ଆଉ ଯନ୍ତ୍ରଟିଏ ପାଲଟିବାନି

ହୋଇଯିବା ରକ୍ତମାଂସର ଏକ ଜୀବଟିଏ 

ଯାହାର ପରସ୍ତ ପରସ୍ତ ଚମଡାରେ 

ଭରିଉଠୁ ମାନବିକତାର ରକ୍ତ ।

ସବୁକିଛି ଚୋରୀକରି ପ୍ରକୃତିରୁ

ବୋଲାଏ ନିଜକୁ ନିଜେ କାହିଁ ବାଦଶାହା 

ଅଳସୁଆମୀର କୁମ୍ଭକର୍ଣ୍ଣ ନିଦ ଆଖିରେ ଭରି

ଭୁଲିଯାଇଛୁ ସଂପର୍କର ମାନେ

ହଜାଇ ନିଜର ନିଜର ଠିକଣା

ଖୋଜିବୁଲୁ ଶାନ୍ତିର ପବନ

ଜୀବନ ଉପକୂଳେ ପାଇବାକୁ ଟିକେ ମୁକ୍ତି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Thriller