ମୁଁ ପିଞ୍ଜରାର ପଶୁଟିଏ
ମୁଁ ପିଞ୍ଜରାର ପଶୁଟିଏ
ମୁଁ ପିଞ୍ଜରାରେ ବନ୍ଦୀ ପଶୁଟିଏ
ଲୌହଶୃଙ୍ଖଳରେ ବନ୍ଧାପଡିଛି
ଜଳଜଳ କରି ବାହାରକୁ ଚାହୁଁଚି
ଦୁନିଆଁକୁ ଚିହ୍ନିବାକୁ ଚେଷ୍ଟାକରୁଛି
ବଡ ଅଡୁଆ ଏ ସଂସାର ଫନ୍ଦା
ୟାକୁ ବୁଝିବାଟା ବିଷମ ଧନ୍ଦା
ମୁକୁଳିବାକୁ ବ୍ୟାକୁଳିତ
ହେଲେ ଉପାୟଶୂନ୍ୟ , ପଥଶୂନ୍ୟ
ଏ ଜାଲିରେ ଘଷି ହେଇ ହେଇ
ମୁଁ ଆଜି ରକ୍ତାକ୍ତ
କିନ୍ତୁ କୌଣସି ପ୍ରତିବାଦ ନାହିଁ
କାରଣ ମୁଁ ଅକ୍ଷମ
ପରାଧିନତାର ବେଡିରେ ଛନ୍ଦୀ ହୋଇଛି
କେହିକେହି ବିସ୍କୁଟ୍ ଖଣ୍ଡେ ତ
କିଏ ଆଉ ପକେଇଦଉଛି
ଇଛା ନଥିଲେ ବି ସେଥିରେ ଖୁସି
ହେବାକୁ ପଡୁଛି
ଭାଗ୍ୟର ବିଡମ୍ବନା
କିଏ ବା ଚାହେଁ ବନ୍ଦୀ ଜୀବନ ?
କହାର ବା ଇଛା ଦାସତ୍ୱ କରିବାକୁ ?
କେତେଦିନ ଆଉ ଚାବୁକ ପାହାର ଖାଇବି
ଆଉ ଯନ୍ତ୍ରଣାରେ ଜର୍ଜରିତ ହେଉଥିବି
ପୁଣି ଲୁହ-କୋହକୁ ଚାପିରଖିବି
ଏମିତି କଣ ହାସ୍ୟାସ୍ପଦ ହଉଥିବି
ପରହାତ ଟେକାକୁ ଚାହିଁରହିଥିବି
ଏଠି ମୋ ଦୁଃଖର ଫରକନାହିଁ
ଅଧିକ ଖୁସି ହେଇପାରୁନି
କାରଣ ଏ ସମୟ ରହିବନି
ସୁଖ ବି କାହାପାଇଁ
ମାଗିଆଣିଥିବା ତୁଣ ସୁଡୁକାଏ ।
ମନରେ ରାଗ ବି ନାହିଁ
କାହାଉପରେ ବା ରାଗିବି
ନିଜ ଭାଗ୍ୟ ଛଡା କାହାକୁ ଦେବି ଦୋଷ
ତଥାପି ଇଛା ଏ ବେଡିରୁ ମୁକ୍ତି ପାଇଁ
ନିଜର ଗୋଟେ ଦୁନିଆଁ ଅନ୍ୱେଷଣରେ
ଯଉଠି ନଥିବ ହିଂସା ଆଉ ମାୟା
ସବୁଜ ଲତା ଗହନରେ ଘୂରିବୁଲିବି
ନଥିବ କାହାର ଭୟ
ସ୍ୱାଧିନତାର ସ୍ୱାଦ ଚାଖିବି
ଭୋକଉପାସ ହେଉ ପଛେ
ଏ ନର୍କରୁ ମୁକ୍ତି ପାଇଯାଏ ॥