ମୁଁ ଓଡ଼ିଆ ମୋ ଭାଷା ଓଡ଼ିଆ
ମୁଁ ଓଡ଼ିଆ ମୋ ଭାଷା ଓଡ଼ିଆ
ଓଡ଼ିଆ ହୋଇ ବି ଅଣ ଓଡିଆ ମୁଁ ରହିଲି ଓଡିଶା ଛାଡି,
ବନ୍ଧୁ ଗୋଷ୍ଠି ମୋର ଆନ ଭାଷା ଭାଷୀ ଏକା ମୁଁ ଛାଡ଼ୁଛି ରଡି।
ସାଥି ଯେ ଅଛନ୍ତି ମାତ୍ର ହାତ ଗଣା ସଭିଙ୍କ ଆଦର ପାଇ,
ଓଡ଼ିଆ ବୋଲି ମୁଁ ଗର୍ବିତ ମଣେ ଓଡିଶା ବାହାରେ ଥାଇ।
ଲେଖି ଚାଲିଥିବି ଗାଇ ବୁଲୁଥିବି ଓଡ଼ିଆ ଭାଷାର କଥା,
ଓଡ଼ିଆ ସାହିତ୍ୟ ଓଡ଼ିଆ ଭାଷା କୁ ନୂଆଉଁଛି ମୋର ମଥା।
ନାହିଁ ଦରକାର ମାନ ପୁରସ୍କାର ଆଦର ବା ଅଭ୍ୟର୍ଥନା,
ପଡି ରହିଥିବି ଅନାଦୃତ ହୋଇ କବି ମଧ୍ୟେ ପଛ ଗଣା।
ନାହିଁ ଅବଷାଦ ନାହିଁ କ୍ଷେଦ ଭେଦ ନାହିଁ ବି ଆଶା ଅନେକ,
ମାତ୍ର ଅନୁରୋଧ ହେ ଓଡ଼ିଆ ବୃନ୍ଦ ଭାଷାର ତ ରଖ ଟେକ।
କବିତା ନୁହଁ ମୁ କାହାଣୀ କହୁଛି ହେଜ ଆଜ ଉତ୍କଳୀୟ,
ଅତୁଲ୍ୟ ଏ ଭାଷା ଅପାର ଲାଳିତ୍ୟ ପ୍ରତି ଶବଦେ ଅମୀୟ।
ତାଳ ଛନ୍ଦ ଯତି ଯମକାନୁପ୍ରାସ ଅଳଙ୍କାର ରେ କବିତା,
ନହେଲେ ଶୃଙ୍ଗାର ବିହୁନେ ଯେସନେ ପତି ବିହୁନେ ବନିତା।
କଥା କାହାଣୀ ରେ ରମ୍ୟ ରଚନାରେ ଅବା କବିତାରେ ଦେଖ
ସାହିତ୍ୟ କୁ ଦିଅ ଆଦର ଅନେକ ସାହିତ୍ୟ ର ମାନ ରଖ ।।
ଭାଷା ଜୟୀ ହେଉ ଯୁଗ ଯୁଗ ଯାଉ ହୋଇ ରହୁ କାଳ ଜୟୀ
ଉତ୍କଳ ଜନନୀ,ଓଡ଼ିଆ ଭାଷା ମୋ ଶାଶ୍ୱତ ଲାସ୍ୟମୟୀ।।
********