ମୁଁ ନାରୀ
ମୁଁ ନାରୀ
ତୁମେ କୁହ ମତେ ଲତାଟିଏ ପରି
ସାହାଯ୍ୟ ଲୋଡେ ମୁଁ ତୁମରି ପାଖେ
ହେଲେ ସାହାଯ୍ୟ ଦିଅନ୍ତି ଆପଣାର ଲୋକେ
ଦୂରତା ଅନ୍ୟଠୁ ବଜାୟ ରଖେ।
ତମେ ପୁଣି ଦିଅ ଅବଳାର ଆଖ୍ୟା
ବେଖାତିର କର ମୋର ଅସ୍ମିତା
ବଳ ନ ଥିଲେ କି ଭୂମି ଜଳ ଆକାଶ
ମାଡି ଚାଲିଥାନ୍ତା ମୋହର ଲତା।
ଦୂର୍ବଳା ବୋଲି ଘୋଡାଇ ଆବରଣ
ଗୃହାଙ୍ଗନେ ଚାହଁ କରିବ ବନ୍ଦୀ
ଦୂର୍ବଳ ଥିଲେ କି ସର୍ଜକଟେ ସାଜି
ପ୍ରସବ ବେଦନା ସହନ୍ତି କାନ୍ଦି।
କୋମଳାଙ୍ଗୀ ଭାବି ଅପାରଗତାର
ବେଡି ବାନ୍ଧିଦିଅ ପୟରେ ମୋର
କୋମଳାଙ୍ଗୀ ଥିଲେ ଦୁନିଆଁ ଯାକର
ହଜମ କରନ୍ତି ବିଷ ଜହର।
କେବେ କୁହ ମତେ ମାୟାବିନୀ ବୋଲି
ଅସ୍ଥିରମନା ମୁଁ ଅହଂକାରିଣୀ
ସବୁ ତୋର କହି ଭୂଲେଇ ପାରନ୍ତ
ସଂସାର ଯାକର ବୋଝକୁ ଆଣି।
କିଛି ମୋର ନୁହେଁ ଏହି ଦୁନିଆଁରେ
ସବୁ ଜାଣି ବୁଝି ନୀରବ ରୁହେ
ଦେହ ମନ ହୃଦୟ ନିଜକୁ ବାଣ୍ଟି ମୁଁ
ତୁମରି ସୁଖରେ ସୁଖୀ ବୋଲାଏ।
ନାରୀଟିଏ ମୁହିଁ ସହିବା ଭୋଗିବା
ବାଣ୍ଟିବା ଗୁଣରେ ସଦା ଅଗ୍ରଣୀ
ଅତ୍ୟାଚାର ହେଲେ ଧୈର୍ଯ୍ୟ ଭାଙ୍ଗିଗଲେ
ପାଲଟିଯାଏ ସୃଷ୍ଟି ସଂହାରିଣୀ ।