ମୁଁ ନାରୀ କହୁଛି
ମୁଁ ନାରୀ କହୁଛି
ସମାଜ ରଥର ଦୁଇଟି ଚକରୁ
ଗୋଟିଏ ପୁରୁଷ ଆରେକ ନାରୀ
କେବେ ମୁଁ ଜନନୀ କେବେ ମୁଁ ଭଗିନୀ
କେବେ ମୁଁ ଦୁହିତା ଜାୟା ରୂପରେ ||
ଜୀବନ ପ୍ରଦୀପେ ସଳିତା ସାଜି ମୁଁ
ତିଳ ତିଳ ହୋଇ ମୁଁ ଜଳୁଥାଏ
ସଭିଙ୍କ ମୁଖରେ ହସ ଭରିବାକୁ
ଶେଷ ସତ୍ତାଯାଏ ମୁଁ ଜଳୁଥାଏ||
ନିଜକୁ ଜଳାଇ ସତ୍ତା ଥିବାଯାଏ
ଅନ୍ୟକୁ ଆଲୋକିତ ମୁଁ କରୁଥାଏ
ତଥାପି ମୋ ତ୍ୟାଗ ବୁଝେନାହିଁ କେହି
ଅପବାଦ କଷଣ ମୋତେ ଦିଏ||
ମୋର ଅଧିକାର କଥା ଭୁଲିଯାଇ
ମୋ କର୍ତ୍ତବ୍ୟ କଥା ସମାଜ କହେ
ଭୋଗ୍ୟ ବସ୍ତୁ ଭାବି ମୋତେ ଭୋଗ କରି
କଳଙ୍କର ଟିକା ମୋ ଭାଲେ ଦିଏ||
ମୋର ଲାଗି ବିଶ୍ବ ମହିଳା ଦିବସ
ପାଳନେ ସକଳ ଦାୟିତ୍ବ ସାରି
ବର୍ଷସାରା ଦେଖେ ନାରୀ ନିର୍ଯ୍ୟାତନା
ଧର୍ଷଣ କଷଣ ଯେ ଅସୁମାରୀ||
ହେ ପୁରୁଷ ଜାତି ଚେଷ୍ଟାକର ବାରେ
ମୋର ଅଧିକାର ଇଜ୍ଜତ କଥା
ନୁହେଁ ଚାକରାଣୀ ନୁହେଁ ଭୋଗ୍ୟ ବସ୍ତୁ
ଚାଲିବାକୁ ଦିଅ ଟେକି ମୋ ମଥା||
