ମୁଁ ମଣିଷ, ମତେ ଇଜ୍ଜତ ଦିଅ
ମୁଁ ମଣିଷ, ମତେ ଇଜ୍ଜତ ଦିଅ
ଜନମ ମୋହର ଏଇ ସଭ୍ୟ ବିବେକୀ
ଉଚ୍ଚ ମଣିଷ ଜାତିରେ
ପ୍ରକୃତିର ଦରବାରରେ ନାହିଁ କିଛି ପରା
ଭେଦଭାବ ମଣିଷ ଭିତରେ ।
ତାମସ ହେଉ ରାଜସ ହେଉ, ପ୍ରକୃତିକୁ
ଧରି ସର୍ବେ ଆସିଛେ
ବିବେକ ହରାଇ ମତିହୀନ ହୋଇ ଅନ୍ୟାୟ
ଘୃଣ୍ୟ କାମ କରୁଛେ ।
ଧରମ ସର୍ବଦା ସ୍ଥିର, ନିୟମ ହୁଏ ଅସ୍ଥିର,
କାରଣ ଅସ୍ଥିର ମଣିଷ
କେତେ କେତେ ମନ୍ଦ କାର୍ଯ୍ୟ କରି ଏ ମଣିଷ
ନକରେ ଅବଶୋଷ ।
ଜଡ଼ିତ ରହି ହୀନ ଅତି ସ୍ଵାର୍ଥପରତାରେ
ନଦେଖଇ ପରର ଦୁଃଖ
ଦଳିତ ବୋଲି କହୁଛ, କି କଷ୍ଟ ପାଉଛୁ
ନଦେଖି କି ପାଉଛ ସୁଖ ।
ମୋ ପୃଥିବୀ, ଏଠି ମୋ ଘର ଏଇ
ସମାଜ ମୋ ସଂସାର
ଗଣତନ୍ତ୍ର ମହାନ୍, ନାଗରିକ ମୁଁ ପରା
ପ୍ରଗତିଶୀଳ ରାଷ୍ଟ୍ରର ।
ମୋ ଦେଶ ମହାନ୍, ସରକାର୍ ମହାନ୍,
ମୁଁ କହେ ପ୍ରତିଦିନ
ଆଜି ବିଜ୍ଞାନ କରିଛି ଆଲୋକିତ ମୋ
ଦେଶର କୋଣ ଅନୁକୋଣ ।
ସଭ୍ୟତାର ମହାମନ୍ତ୍ରରେ ପରା ମୋ
ଦେଶବାସୀ ଆଜି ଦୀକ୍ଷିତ
ମୁଁ କାହିଁକି ଆଜି ଘନ ଅନ୍ଧାରର
ଅମାରେ ଯନ୍ତ୍ରଣା ଜର୍ଜରିତ ।
ଏଠି କିଏ ନିଜ, ପର କିଏ, ମଣିଷ ମନରେ
ମନରେ ଦ୍ୱନ୍ଦ ଓ ସନ୍ଦେହ ନେଇ
ଅଧର୍ମରେ ଯାଇ, ବିନା କାରଣରେ ନିରୀହ
ଉପରେ ଅତ୍ୟାଚାର କରେ ସେହି ।
ହେ ନିଜ ସୃଷ୍ଟ ଉଚ୍ଚ ଜାତିର ମଣିଷ କିଛି
ତ ଦେଇନ ସବୁ ତ ନେଇଛ
ଆଜି ବଡ ପଣ ଦେଖାଉଛ କିଆଁ କୁହ
ମୋତେ କରି ସବୁଥିରୁ ବଞ୍ଚିତ ।
ମୋ ସରଳତା ମୂର୍ଖାମୀ ଯୋଗୁ ମୋତେ
ତୁମେ ଦଳିତ କହୁଛ ଛଳେ
କେତେ ଦିନ କୁହ ମୁଁ ରହିବି ହତଭାଗା,
ଦଳିବ ତୁମ କ୍ଷମତାର ବଳେ ।
ହେ ବିବେକୀ ଉଚ୍ଚ ଜାତିର ମଣିଷ ଭାଇ
ଉଚ୍ଚ ବୋଲାଉଛ ସମାଜରେ
ନାହିଁକି ସମ୍ବେଦନାଶୀଳତା, ମୋ ଅନ୍ତର
ଦୁଃଖ ସବୁକୁ ଭାବ ମନ ମଧ୍ୟରେ ।
ଇଶ୍ୱରତ ସମସ୍ତଙ୍କର, ତାଙ୍କୁ ଜଣା ତ
ମୋ ହୃଦୟର ବେଦନା
ନିତି ପୂଜୁଛି ସ୍ନେହ ଶ୍ରଦ୍ଧାରେ ତାଙ୍କୁ, ଭାବେ
ଏ ମଣିଷ କିଆଁ ମୋତେ ଇଜ୍ଜତ ଦିଏନା ।
ସଂସାରରେ ତାରକ ନାରକ ହାରକ ଦୟାର
ସିନ୍ଧୁ ନାମ ପରା ବୋଲାଉଛ
ସବୁଥିରୁ ଦଳିତକୁ ବଞ୍ଚିତ କରି ଉତ୍ତର ଦିଅ
କେଉଁ ଯଶ ବାନା ଉଡାଉଛ ।