ମୁଁ କଳ୍ପନା ମାରାଣ୍ଡି
ମୁଁ କଳ୍ପନା ମାରାଣ୍ଡି
ମୁଁ କଳ୍ପନା ମାରାଣ୍ଡି
ରେଭେନ୍ସା ବିଶ୍ଵବିଦ୍ୟାଳୟରେ ବାଣିଜ୍ୟର ଛାତ୍ରୀ l
ମୁଁ ଠିକ ତୁମମାନଙ୍କ ପରି,
କଥା କହିପାରେ, ପଢ଼ିପାରେ ଆଗକୁ ବଢିପାରେ l
ମୁଁ ସାନ୍ତାଳୀ ସମ୍ପ୍ରଦାୟରେ ଉଜ୍ଜଳଶିଖା
ସ୍ୱାଭିମାନୀ ମୁଁ, ହାରେନାହିଁ କେବେ
ହୁତ ହୁତ ଜଳେ ଅନବରତ
ସଦା ଦୀପ୍ତିମାନ ମୋ ଭିତରର ଜୀବନ୍ତ ସତ୍ତା l
ମୋ ପରି ଅନେକ ତୁମପରି ମଣିଷ
ଜିଅନ୍ତି ଜିଅନ୍ତା ଦଗ୍ଧୀଭୂତ ହୋଇ
ଲୁହାଠୁ ବି ଶକ୍ତ ଲହୁଲୁହ ପରି ବୋହିଯାଆନ୍ତି
ଭାସିଯାଏ ସବୁ ଅନ୍ତରର ଜ୍ୱାଳା ଅପମାନତକ l
ଅୟୁତ ସ୍ୱପ୍ନ ମାଖି ଚକ୍ଷୁ ରେ ଚିତ୍ତରେ
ଆସି ଦେଖେ ଶୁଣେ
ଅଟ୍ଟହାସ୍ୟ ବ୍ୟଙ୍ଗାତ୍ମକ ଶୈଳୀ ତୁମର
ମୋ ନାମରେ, ରୂପରେ, କଥାରେ ଜାତିରେ l
ଅନ୍ତର୍ଭେଦି ଦେଖିଲନି ତ କଦାପି
ଜଟିଳତା କି ନିରୀହତା
ପଶ୍ଚାତେ କୁହା କୁହି କାନକୁହା କଥା
ଶବ୍ଦ ଗୋଟିଏ ଅନେକ ଯାତନାର ଗାଥା
'କୋଟା' 'କୋଟା' 'କୋଟା' l
ମୁଁ ଶ୍ରେଷ୍ଠତା ଲାଭ କଲି
ଆଗେଇଲି ଆଗକୁ
ପଛେ ଛାଡ଼ି ତୁମପରି ଅନେକଙ୍କୁ l
ମୁଁ , ମୁଁ ହେଇ ରହିଛି
ନାହିଁ କିଛି ମଖା ମଖି କୃତ୍ରିମତା
ତୁମର ଅନେକ ରୂପ
ପ୍ରସ୍ଥ ପ୍ରସ୍ଥ ଆବରଣ ରେ ଘୋଡା ଘୋଡ଼ି
ଫିଙ୍ଗା ଫିଙ୍ଗି କରି ଚାଲୁଛ
ଗୋଟିଏ ପରେ ଗୋଟିଏ ଖୋଳପା l
ମୁଁ କଳ୍ପନା ମାରାଣ୍ଡି
ଭୟ କରେ ନାହିଁ
ଆହ୍ୱାନ କରେ
ଆସ ମିଶିଯାଅ
ହାତଧର l
ତଥାପି,
ଯଦି ତୁମେ ବଡ, ମୁଁ ସାନ
ଘୃଣା କାହିଁକି??
ବଡରୁ ସାନ କାହିଁକି ହେଇଯାଉଛ?
ହୃଦୟକୁ କ୍ଷୁଦ୍ରକ୍ଷୁଦ୍ର କରି,
ନୀଚ୍ଚମନା ର ପରିଚୟ ଦେଉଛ l
ଦେଖ ମତେ
ମୁଁ ସାନରୁ ବଡ ହେଲି
ଚେତନାର ଦ୍ୱାର ମୋର ଉନ୍ମୁକ୍ତ
ନଇଁ ଯାଉନାହିଁ, ସଳଖଦୃଷ୍ଟି ମୋର
ମୁଁ ଓ ମୋର କୃତି, ବୃତ୍ତି ସଦା ତୁମ ସମକକ୍ଷ l
ହାଣିଥିଲ କେବେ କାଳର କରାଳ ବେଳାରେ
କ୍ଷତାକ୍ତ କରିଥିଲ ବାରମ୍ବାର
ଆଜି ହସ୍ତ ପ୍ରସାରି ଦେଖ ମୋ ଆଡେ
ଅପହଞ୍ଚ ସତରେ , ରହିଯାଅ l
ବନ୍ଦ କରିଦିଅ ପ୍ରହସନ
ମାନବିକତାର ପଥେ ଅଗ୍ରସର ହୁଅ
ଭାଙ୍ଗି ଟୁକୁଡାଟୁକୁଡା କରିଦିଅ
ମିଥ୍ୟା ତୁମ ମଣିଷ ମଣିଷ ଭିତର ବିଭାଜନ l
ମୁଁ କଳ୍ପନା ମାରାଣ୍ଡି
ମୂଳନିବାସୀ ଭାରତୀୟ
କାହିଁ ଲଜ୍ଜିତ ହେବି??
ମୁଁ ଗର୍ବିତ ମୋ ପାଇଁ
ମୋ ନିଜସ୍ୱ ନିଜତ୍ବ ପାଇଁ l
ମୁଁ ହାରି ନାହିଁ ହାରେ ନାହିଁ....
ସଦା ବିଜୟିନୀ, ମୁଁ ପ୍ରଖର ସ୍ରୋତସ୍ୱିନୀ... l
ଲୋପା