ଲଜ୍ୟା ଓ ପରଦା
ଲଜ୍ୟା ଓ ପରଦା
*ଲଜ୍ୟା ଓ ପରଦା*
ମାଆ ର ଓଢଣୀ ଢଙ୍କା ମୁହଁ
ଗୃହବନ୍ଦୀ ଜୀବନ
କୁନି ଝିଅ ପାଇଁ ସବୁ ଅବୁଝା
"ମାଆ ଆମ ଗାଁରେ ମାଆମାନେ କାହିଁକି
ସବୁବେଳେ ଘରେ ରହନ୍ତି ଲୁଚିକି?
ଘରୁ ବାହାରିଲେ ଲାଜରେ ମୁହଁ ଘୋଡାନ୍ତି "l
ମାଆ ର ଅଦ୍ଭୁତ ହସ
କି ଏକ ଅଜଣା ଅପରାଧ
ଘଷାପିଟା ଅନାକର୍ଷକ ଜୀବନ
ଖାଲି ଯାହା ପାଦରେ ହାତରେ
ମିଛ ପରମ୍ପରା ର ଶିକୁଳୀ ବନ୍ଧନ l
"ମାଆ ! ତୁ ଵି ଚାଲେ ଆମ ସାଥେ
ରଜରେ ଦୋଳି ଝୁଲିବୁ
ଖୁବ ଉଚ୍ଚାକୁ ଉଠିବୁ
ଆକାଶକୁ ଟିକେ ଛୁଇଁ ଆସିବୁ
ପିଉସୀ ଵି ଯିବେ
ବାଉଁଶର ଝୁଲିଟା ଲାଗିଛି
ଗାଁ ଶେଷ ବୁଢ଼ା ବରଗଛେ " l
ଝିଅ କି ବୁଝିବ
ବୟସ ଵା ତାର କେତେ?
ପିଉସୀ ଏ ଘରର ଝିଅ
ଅନ୍ୟ କାହା ଘରେ ସେ ବି
ରୋଷେଇ ଘର କୂପ ମଣ୍ଡୁକ l
ଝିଅ ଭଉଣୀ ମାଆ ସ୍ତ୍ରୀ ବୋହୂ ଶାଶୂ
ନାମ ଅନେକ କଷଣ ଏକ
ନାରୀ ର ଭୂଷଣ ଲଜ୍ଜ୍ୟା
ପୁରୁଷ ତ ଚୀରକାଳ ନିର୍ଲଜ l
"ମାଆ ! ତୋ ଘର କୋଉଠି?
ଜେଜେମାଆ କାହିଁକି କହେ ପରଝିଅ?
ମାମୁଁ ଘରେ ଟାରେ ତୁ କାହିଁ ରହୁନା
ଅଜା ଆଈ ମାମୁଁ ମାଇଁ
ତଡି ଦେଲେ ବୋଧେ ଏଠିକି? "
ଝିଅ ର ଘର ନଥାଏ ଲୋ ପାଗିଳି !!
କେବେ ଏଘର ପୁଣି କେବେ ସେଘର
ଖାଲି, ବାପା, ଭାଈ ଆଉ ସ୍ୱାମୀର l
ବାହାଦେଲେ ବୋଝ ଯାଏ ଓଲ୍ହାଇ
ବୋହୂ ହୋଇ ଆସେ ନଇଁ ନଇଁ
କଣ ପାଇଁ?
ସିଧା ଚାଲିଲେ କାହାର କିଯାଏ ?
ଦୃଷ୍ଟି ରହେ ତାର ତଳକୁ
ଅଜବ ଏ ସଂସ୍କୃତି
ମଣିଷଟା କଣ ଚିଡିଆ ଖାନା ର ଜିରାଫ
ନବବଧୂ ର ମୁହଁଦେଖା ପ୍ରହସନ
ଭଲ କି ଭେଲ
ଖାଲି ବାହାରଟା ଦେଖି ନାନାଦି ଟିପ୍ପଣୀ l
"ମାଆ ! ମୁଁ ବାହା ହେଇ ପଳେଇବି l
ତୋପରି ମୁଣ୍ଡରେ ଲୁଗାଦେଇ,
କିଚେନ ରେ ରାନ୍ଧିବି l
ମତେ ଵି କଣ ମାରିବେ ଶାଶୁଘରେ?
ମାଆ ! ମୁଁ କି ଦିନେ ଲୁଚି ଲୁଚି କାନ୍ଦିବି? "
ନାଁ ଝିଅ ନାଁ !
ତୁ ତୋ ମୁହଁ ଢାଙ୍କିବୁନି
ହାଣ୍ଡିଶାଳ ର କୂପମଣ୍ଡୁକତା ରୁ ବାହାରକୁ
ଅନେକ ଆଗକୁ ତତେ ଯିବାକୁ ହେବ l
କଦାପି ନଇଁଯିବୁନି
ଅଣ୍ଟା ସଳଖି ଚାଲିବାକୁ ହେବ l
ଲାଜ କାହାକୁ?
ହାତେ ଓଢଣୀ ତଳର କି ସେ ଜୀବନ
ଯେ ଜୀଏଁ ସେ ଜାଣେ
ମିଥ୍ୟା ଗୋଟେ ନିୟମ
ଜଣଙ୍କ ମଦ ଖିଆ
ଆର ଜଣଙ୍କ ପିଠି ରେ ନିଶା ଉତୁରା
ମଦ୍ୟପ ର ନାହିଁ ଲଜ୍ୟା
ସରମେ ଲୁଚେ ସ୍ତ୍ରୀ
ଆପଦମସ୍ତକ ଆବରଣ ଆଉ ପରଦା l
ଝିଅ ଲୋ ! ତୁ ପଢ଼ିବୁ
ଖୁବ ପଢ଼ିବୁ l
ଆଖିରେ ଆଖି ମିଶେଇ କଥା ହେବୁ
ଲାଜରେ ମୁହଁ ତଳକୁ ନୁହେଁ
ଗର୍ବ ରେ ମୁଣ୍ଡ ଟେକି ଚାଲିବୁ l
କି ଦରକାର ସୁନାବୋହୂର ସୁନାମ
ସେ ନାଁଟା ପଛରେ ଅନେକ ଯାତନା
ତୁ ତୁ ହେଇ ରହିବୁ ଧନ
ବଞ୍ଚିବୁନି ମୋ ପରି ଗୋଲାମର ଜୀବନ l
ନତ୍ୟାଗୀ ସବୁ ସ୍ବପ୍ନ ଆକାଂକ୍ଷା
ନଦେଇ ଜଳାଞ୍ଜଳି ସ୍ୱାଧୀନତା
ଯଜ୍ଞ କୁଣ୍ଡରେ ଜୀବନକୁ ଦେବୁନି ଆହୂତି l
ନିଜ ଭିତରେ ଜିଅନ୍ତା ଜୀବନର ସତ୍ତା
ତୁ ଖୋଜି ନପାଇଲେ
ଉଡିଯିବ ତୋ ଠାରୁ
ଜୀଇଁ ଥାଉ ଥାଉ ମରିଯିବ
ତୁ ଖୁବ ଜୀଇଁବୁ ଆଉ ମନଭରି ହସିବୁ
ହସ କାନ୍ଦକୁ ଚାପି ରଖି
ଅଣନିଶ୍ୱାସୀ ନହେଇ ଖୋଲିଯିବୁ l
କାହାରି କଥାରେ ଭୟପାଇ
ପାଟି ରେ ଦେବୁନି ତାଲା
ରୋକଠୋକ ଜବାବ ଫେରେଇବୁ
ତୁ ନୁହେଁ ମୁକ ଅବା କାଲା l
ନାରୀ ନୁହେଁ ନାକକାନ୍ଦୁରୀ
ବଦଳେଇ ଦେବୁ ସଂଜ୍ଞା
ତୋ ଜୀବନଟା କେବଳ ତୋର ଝିଅ
ତୁ ତୋ ଇଚ୍ଛାରେ ସଜେଇବୁ
ପଢ଼ିବୁ, ଖେଳିବୁ, ନାଚିବୁ, ଗାଇବୁ
ହାରିବୁନି, କେବେ ରହିଯିବୁନି
ଆଗକୁ ତିଆରିବୁ ତୁ ତୋ ନିଜ ରାସ୍ତା l
ପରିବର୍ତନ ସହ ଚାଲିବୁ ଝିଅ
ନିର୍ଜୀଵ ପରି ସ୍ରୋତରେ ଭାସିଯିବୁନି
ପହଁରିଯିବୁ ସାତ ସମୁଦ୍ର
ବଦଳେଇଦେବୁ ପବନ ର ଦିଗ
ଭାଙ୍ଗି ଟୁକୁଡା କରିଦେବୁ
ବର୍ଷ ବର୍ଷ କ୍ରୂର ନିଷ୍ଠୁରତା
ଶକ୍ତ କରି ଦେହ ମନ, କରିବୁ ଅନ୍ତ
ଅସଂଖ୍ୟ ଦିନର ଯାତନା ଆଉ ଅଜ୍ଞତା l
ସୁନା ନହୋଇ ତୁ ଲୁହା ହୋ
ନରମ କୋମଳ କୋଉ କାମକୁ
ଘୋଡେଇ ଘାଡେଇ ସଯତ୍ନେ
କାଚ କଣ୍ଢେଇ ପରି ସାଇତିବେ
ରୁଦ୍ଧ ସୋକେଶ ର କାଚ କବାଟ
ସବୁ ସ୍ୱପ୍ନରେ କବର ପଡ଼ିଯିବ l
ମୁକ୍ତିର ଦ୍ୱାର ଖୋଲି ଡେଇଁ ପଡ଼ିବୁ
ଅଗ୍ନି ପରି ଶିଖା ଉଚ୍ଚ କୁ
ମୁଁ ବିଶ୍ୱାସ କରେ ତତେ
ତୁ ନିଶ୍ଚୟ ପାରିବୁ
ବାହାରିଯିବୁ ଓଢଣୀ ତଳୁ
ଲାଜରେ ଲାଲ ନହୋଇ
ଶିକ୍ଷାର ଉଜ୍ଜ୍ୱଳତାରେ ତେଜୀୟାନ ହେବୁ l
***********ଲୋପାମୁଦ୍ରା ମିଶ୍ର *********