STORYMIRROR

Lopamudra Mishra

Inspirational

3  

Lopamudra Mishra

Inspirational

ଅଲୋଡ଼ା ନୁହେଁ

ଅଲୋଡ଼ା ନୁହେଁ

1 min
292

    ମୋର ଲୋଡ଼ା ନାହିଁ ମୋଟା କଙ୍କଣ 

  ଦେଇପାରିବ କି କଲମ ଧରିବାର ସ୍ୱାଧୀନତା

କିଛି ଆଶା, ଅଭିଳାଷାକୁ ଭାଷାରେ କରିପାରିବି କି ବ୍ୟକ୍ତ

   ତା'କୁ ସ୍ୱଚ୍ଛାଚାରିତାର ଆଖ୍ୟା ନଦେଇ, 

କହିପାରିବକି, 'ଏତକ କଥା ତ ଅତି ସାଧାରଣ '


ମୋର ଲୋଡ଼ା ନାହିଁ ଦୁଇଯୋଡ଼ା ରୁପା ପାଉଁଜି 

  ହଳେ ବି ଚାହୁଁନି ପାଦରେ ବାନ୍ଧି ଛମଛମ କରିବାକୁ

ଦେଇପାରିବକି ହଳେ ଜୋତା ଆଉ ଗୋଟାଏ ସୁଦୀର୍ଘ ରାସ୍ତା

ଦୂତୀ ଚାନ୍ଦ୍ ପରି ଦୌଡି ଯିବି, ଉଡିଯିବି ଦେଶରୁ ବିଦେଶକୁ

  ପାଦଦୁଇଟିର ଅସୀମ ଶକ୍ତିକୁ ପରଖିବାକୁ ଚାହଁ  

   ଦେଖ ଦେଖ ସେ ଚାନ୍ଦ୍ କୁ, ରୁପା ନୁହେଁ 

    ସ୍ୱର୍ଣ୍ଣରେ ଝଲସୁଛି ସେ

    ତା ପାଦ ଡେଣା ପରି

ଆକାଶକୁ ଛୁଇଁଯାଏ,ମୁଠିରେ ଭର୍ତ୍ତିକରି ଆଣେ ସଫଳତା


  

 ମୁଁ ଲୋଡ଼େ ନାହିଁ ବି 

   ଯୌତୁକ ଦାବୀ କରୁଥିବା ଚାରିକୋଣିଆ ବେଦୀ 

ମୋ ପାଇଁ ମୁଁ ହିଁ ଯଥେଷ୍ଟ

  ମୋ ବଦଳେ କେବଳ ମୋତେ ଚାହିଁବ ତ

ଅଜାଡ଼ି ଦେଇପାରେ ଗଙ୍ଗଶିଉଳୀ ପରି ପ୍ରେମ 

ନଚେତ୍ ଦୂରେଇ ଠିଆହୁଅ ମୋ ବଳୟ ବାହାରେ 

ବିବାହ ନୁହେଁ ଏଇ ଛବିଶ୍ ରେ ସାରିବି ମୁଁ ମୋ ପି.ଏଚ୍.ଡି


  ମୁଁ ଲୋଡ଼ୁନାହିଁ ସେ ଜରିକାମବାଲା ନାଲି ଓଢଣୀ 

ଲୁଚେଇବାରେ କିଛି ନାହିଁ ମୋ ମଥା ଉପରେ 

  କେରାଏ କଳା, ଅଳ୍ପ ପାଚିଆସୁଥିବା ଧଳା କେଶକୁ ଛାଡ଼ି

ପଚାର ମୋତେ ଜଟିଳ ଗଣିତର ପ୍ରଶ୍ନ

   ମୁହେଁ ମୁହେଁ ମୋର ସବୁ ହିସାବ 

  ଓଢଣୀ କି ଦରକାର  

ଆଣିବ ତ ଆଲ୍ଜେବ୍ରା ବହି କେତେଟା ଆଣିଦିଅ


ମୋତେ ପକାଇ ଦେଲ ଡଷ୍ଟବିନ୍ ରେ, 

   ରାସ୍ତାକଡ଼ରେ, ପଙ୍କରେ, କାଦୁଅରେ

କିନ୍ତୁ ଦେଖ, ହେଇ ମୁଁ ଉଠିଲି

ମୁଁ ଲେଖିଲି ମହାକାବ୍ୟ, 

  ଦୌଡ଼ି ହରେଇଲି ସାରା ବିଶ୍ୱକୁ, 

    ଉଡିଲି ମହାକାଶରେ

ମୁଁ ସମୁଦ୍ର ଲଙ୍ଘିଲି,ପଥର ଖୋଦେଇଲି, 

ଗଢ଼ିଲି, ଗଢେଇଲି, ସୃଷ୍ଟିକଲି, ସବୁଜିମା ଭରିଦେଲି


ମୁଁ ଭାଙ୍ଗିଜାଣେନି

ଯିଏ ଅହରହ ନଷ୍ଟକରେ ମୋର ପ୍ରତିକୃତିକୁ 

ସେ ମୁଁ ନୁହେଁ, ମୋତେ ଦୁର୍ବଳ ଭାବୁଥିବା ଆଉଜଣେ କେହି


ମୋତେ ଅଲୋଡ଼ା ଭାବି କାଟି ଟିକଟିକ କରିଦିଅ 

ମୁଁ ପୁନର୍ବାର ଜିଇଁଉଠିବି 

 ମୁଁ ବଞ୍ଚିବି, ତୁମେ ମୋତେ ଲୋଡ଼ିବ 

   ସେଥିପାଇଁ ନୁହେଁ  

ମୋ ଜୀବନଟା ପରା ମୋ ପାଇଁ ଭାରି ଦରକାରୀ

କେବଳ ମୋରି ପାଇଁ ହିଁ ମୁଁ ଜୀଈଁବି



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational