STORYMIRROR

Lopamudra Mishra

Others

3  

Lopamudra Mishra

Others

ରାଜୁଆ ଫେରିବନି

ରାଜୁଆ ଫେରିବନି

2 mins
475


*ରାଜୁଆ ଫେରିବନି*

ଲୋପାମୁଦ୍ରା ମିଶ୍ର


ମୁଁ ସାଉଁଟି ପ୍ରଧାନ

କାଲି ରିକ୍ସା ଚଲାଉଥିଲି, ଆଜି ଟାଣୁଛି ଟ୍ରଲି

ମୋ ପୁଅ ରାଜୀବ, ରାଜୁଆ ତା ବୋଉର ଭାରି ଗେଲ୍ହା

ଗୋଟିଏ ପୁଅ ଆମର ଛାତିର ଟୁକୁଡ଼ା l

ସେ ନରହିଲେ ଆମ ଘର ଅନ୍ଧାର

ଥିଲେ ଘରେ ଦୀପାବଳି ଆଉ ହୋଲି l


ମୁଁ ଗଜ ମୁରୁଖ, ମୋ ଭାରିଜା ଅକ୍ଷର ଚିହ୍ନିନି

ଆମେ ଜାଣିନୁ କିଏ ଆତଙ୍କବାଦୀ

ଆମେ ଜାଣୁ ଯୁଦ୍ଧ ମାନେ ଗୋଟେ ଲଢେଇ,

ଆମ ରଜା ର ରାଜ୍ୟଜୟ ପାଇଁ

ଆଉ ଗୋଟେ ରାଇଜର ରାଜା ସହ ଲଢେଇ l

ରାଜାମାନେ ଲଢ଼ନ୍ତି ରାଜ୍ୟପାଇଁ

ସୈନ୍ୟ ଲଢେ ପେଟ ପାଇଁ l


ମୋ ରିକ୍ସା ଗଡ଼ିଲାନି

ରାଜୁଆର ବୋଉ ଚୁଲିପାଖେ ମୁଣ୍ଡେ ହାତଦେଇ ବସିଲା

ରାଜୁଆ ଟା ଭାରି ଜିଦ୍ଦିଆ

ଗାଁ ପଡ଼ିଆରେ ଦୌଡିଲା

ତା ଭୋକ, ଆମ ଭୋକ ତାକୁ ଦୌଡେଇଲା

ସେ ଧାଇଁ ଧାଇଁ ଧଇଁସଇଁ ହେଲା

ସେନାରେ ଭର୍ତ୍ତି ହେଲା l


ଆମେ ଗରିବ ଲୋକ

ମୁଠାଏ ଖାଇବାକୁ ପୁଅ ହାତରେ ହତିଆର ଧରେଇଲୁ

କାନ୍ଦିଲୁ, ଦୁହେଁ କାନ୍ଦିଲୁ

କିନ୍ତୁ ପେଟ ପାଇଁ ସୈନ୍ୟ ଲଢ଼େ.. ବୁଝିବାକୁ ହେଲା l

ଆମ ରାଜୁଆ ଟାର ମୁଣ୍ଡରେ ରଜା ଦେଶପ୍ରେମ ଭରିଲା

ସେ ଖୁବ ଟାଣୁଆ ହେଲା

ଆମ ପାଇଁ ନୁହେଁ, ରଜାର ରାଇଜ ପାଇଁ

ଆମ ରାଇଜ ତ ରାଜୁଆ ବିନା କଳା ଅନ୍ଧାର l


ଆମେ ଗାଉଁଲି ମଫସଲି

ଜୀବନେ କେବେ କାଶ୍ମୀର ଦେଖିନୁ

ସିଆଚିନ୍ ନାଁ ଶୁଣିନାହୁଁ

ଆମ ପୁଅ ରାଜୁଆ ଜଗିଛି ଦେଶକୁ

ଆମ ପୁଅ ଦେଶର ରକ୍ଷକ

ଦେଶ କିଏ ଆମେ କିନ୍ତୁ ବୁଝିନୁ ll


ମୋ ରିକ୍ସାଚଲା ପୁରା ବନ୍ଦ

ରାଜୁଆ ଟଙ୍କା ପଠାଏ

ଆମେ ସପନ ଦେଖୁ

ରାଜୁଆର ବୋଉ ଆଣିବ ବୋହୂ

ଆମ ପୁଅ ଗଢ଼ିବ ସଂସାର

ସୈନ୍ୟଟିଏ ବଳିଦାନ ପାଇଁ ଜନମିଥାଏ

ଆମେ ବାପମାଆ ବୁଝିବୁ କାହୁଁ ??


ରାଜୁଆ ଜଗିଛି ଦେଶର ସୀମାକୁ

ଆରପଟେ ଥିବ ଆଉ କାହାର ରାଜୀବ, ରମଣ କିମ୍ବା ରହିମ୍

ମୋ ରାଜୁଆ ର ଗୁଳିରେ ଆଉ କାହା ରହିମ୍ ଟଳିବ

ଅବା ହେଇପାରେ ରହିମ୍ ର ଗୁଳିଟା ମୋ ରାଜୁର ମଥାକୁ...

ନାଁ... ମୋ ରାଜୁଆ ଫେରିବ

ଆମ ଘର ତା ବିନା ଅନ୍ଧାର

ସେ ଫେରିବ ଘରକୁ

ତା ବୋଉର କୋଳକୁ l


ଆମ ଝାଟିମାଟି ଚାଳଘର ପକ୍କା ହେଉଛି

ରାଜୁଆ ଆସିବ,

ବାହାଘରଟା ପାଖେଇ ଆସୁଛି l

ଆମେ ଜାଣିନୁ ଆର ରାଇଜ ସହ ଆମର କି ଶତ୍ରୁତା

ଆମେ ତ ବେଶ୍ ଅଛୁ

ଆମେ କାହୁଁ ବୁଝିବୁ ଆତଙ୍କବାଦୀ କିଏ?

କିଏ ତାକୁ ପାଳେ, ପୋଷେ, ନିରୀହଙ୍କୁ ମାରିବାକୁ ଶସ୍ତ୍ର ଧରାଏ?


ମୋ ରାଜୁ ଲଢ଼ୁଛି

ଯୁଦ୍ଧ କରୁଛି ଶତ୍ରୁ ସହ l

ଆଉ କାହାର ପୁଅ ଟଳିଲେ ମୋ ରାଜା କହୁଛି ଆମେ ଜିତିଲୁ

ଆମ ପୁଅ ଟଳିଲେ, ଗରିବ ବାପମାଆ ର ଛାତି ଫାଟୁଛି

ମୋ ରାଜୁଆ ଲଢ଼ୁଛି, ତଥାପି ଲଢ଼ୁଛି

ଗରିବର ପୁଅ ପରା, ପେଟ ପାଇଁ ତ ତାର ଯୁଦ୍ଧ !


ରାଜୁଆ ଆଜି ଫେରିବ

ମୋ ବାପ ଚଉଦ ପୁରୁଷ ଉଡ଼ାଜାହାଜ ରେ ଉଠିନି

ରାଜୁଆ ସେଇଥିରେ ଆସୁଛି

ଆମ ପୁଅ ଫେରୁଛି , ଆମେ ଖୁସି

ଆମ ପୁଅ କିନ୍ତୁ ଫେରିଲାନି

ଫେରିଛି ରାଜାର ମୃତ ସୈନିକ ଟେ

ଢାଙ୍କି ହେଇଛି ଦେହରେ ତିନିରଙ୍ଗିଆ ପତାକା ଟେ l


ଆମ ପୁଅ ସୈନିକ ହେଇଥିଲା

ଭୋକ ତାକୁ ଆଉ ଗୋଟେ ସୈନିକ ସହ ଲଢେଇଲା

ଆଜି ଆମେ ବୁଝିଲୁ ସୈନିକମାନେ ରାଜାର ଗୋଲାମ

ଦେଶଭକ୍ତି ମିଛ କଥା

ଗଣତନ୍ତ୍ର ମିଛ କଥା

ରାଜା ଏବେ ବି ବଞ୍ଚିଛି

ତାଙ୍କ ପୁଅମାନେ ସୁରକ୍ଷିତ

ମାରନ୍ତି ମରନ୍ତି ସିନା ଗରୀବର ପୁଅ l


ଆମ ପୁଅ ଫେରିନି

ଫେରିବନି

ଶତ୍ରୁ ନୁହେଁ ଯୁଦ୍ଧ ତାକୁ ନେଇଗଲା

ରାଜା ମନ୍ତୀରୀ ଆମ ଗରୀବ ଲୋକଙ୍କ ଘରେ ଦୀପ ଲିଭେଇଲେ

ତଥାପି ଆମ ଭୋକ ଆମକୁ ଠେଲୁଛି

ଆଉ ଗୋଟେ ରାଜୁଆ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି

ସେ ଯାଉଛି, ଅସ୍ତ୍ର ଶସ୍ତ୍ର ଧରି ଯାଉଛି

ସେ ନଫେରିବାକୁ ଯାଉଛି

ସେ ଭୋକିଲା ପିଲାଟା ଏବେ ଯିବ ଯେ ଆଉ ଆସିବନି l


******


ଲୋପାମୁଦ୍ରା ମିଶ୍ର



Rate this content
Log in