STORYMIRROR

Lopamudra Mishra

Inspirational Others

3  

Lopamudra Mishra

Inspirational Others

ବାପାଙ୍କ ନୀରବ କାନ୍ଦଣା

ବାପାଙ୍କ ନୀରବ କାନ୍ଦଣା

2 mins
27.5K


ବାପା ! ତୁମେ ଖୁବ ମହାନ

ମୋ ପିଲା ଦିନର ସୁପର ହିରୋ..

ନଦୀ ତୁମକୁ ବୁଡେଇ ପାରେନା,

ପବନ ତୁମକୁ ଉଡେଇ ପାରେନା,

ତୁମେ ମୋ ପାଇଁ ସର୍ବଶକ୍ତିମାନ ।।

ବାପା ! ମୁଁ ତୁମଠାରେ ସର୍ବଦା ଦେଖେ

ସୁମୁଦ୍ରର ଗଭୀରତା ଆଉ ପର୍ବତର ବିଶାଳତା ।

କଷ୍ଟ ଦୁଃଖ ତୁମକୁ ଛୁଇଁ ମଧ୍ୟ ପାରେନାହିଁ

ସମସ୍ତ ଅସମ୍ଭବ ହୁଏ ସମ୍ଭବ ତୁମ ପାଖେ ।।

ବାପା !ସତରେ କଣ ତୁମ ହୃଦୟଟା ଏତେ ଶକ୍ତ ?

ତାହେଲେ ଆଜି ନୀରବତା ଭଙ୍ଗ କର

ମୋ ପ୍ରଶ୍ନ ର ଜବାବ ରଖ ।।

ବାତ୍ୟାରେ ଛପର ଉଡ଼ିଗଲା ନକାନ୍ଦି ସଜାଡି଼ଲ ଏକା

ତୁମ ଛିଣ୍ଡା ସାର୍ଟ ରେ ତାଳି ଆଉ ପ୍ୟାଣ୍ଟ ବି ଲୋଚା କୋଚା

କିନ୍ତୁ ଭାଇର ଫଟା ସ୍କୁଲ ପ୍ୟାଣ୍ଟ ଦେଖି,

କାହିଁକି ତୁମ ଦୁଇ ଚକ୍ଷୁ କୋଣରେ ହାତ ଆଙ୍ଗୁଠିର ଚାପା ??

ବାପା !ସ୍କୁଟର ଟିଏ କିଣିବାକୁ ତୁମ ଖୁବ ଇଚ୍ଛା

ସାଇକେଲ ରେ ବିତେଇଲ ତମାମ ଯୌବନ ।

ରାଜା ପାଇଁ ବାଇକ କିଣିବାକୁ ଯୋଗାଡ଼ି ନପାରିଲ ଟଙ୍କା

ଗାମୁଛା ରେ ମୁହଁ ପୋଛ ବାରମ୍ବାର

ଲୋତକ କି ସତେ ଆଜି ସ୍ୱେଦ ପାଲଟିଗଲା

ସଜ୍ଜଳ ତୁମ ଅସହାୟ ଦୁଇ ନୟନ ।

ବାପା ! ବାଡ଼ ବାନ୍ଧୁବାନ୍ଧୁ କଟିଯାଏ ତୁମ ହାତ

ରକ୍ତରେ ଲାଲ ପିନ୍ଧା ଲୁଙ୍ଗି

ତଥାପି ବଦନରେ ନାହିଁ ଯନ୍ତ୍ରଣାର ଲେସ ମାତ୍ର ଚିହ୍ନ ।।

ଜର ରେ କମ୍ପୁଥିଲି ମୁଁ

ବୋଉର କାନ୍ଦଣା

ପାଖରେ ନାହିଁ ବେଶୀ ଟଙ୍କା

ବିକ୍ରି କଲ ତୁମ ଏକମାତ୍ର ହାତ ଘଣ୍ଟା

ମୋତେ ଜର ଶହେ ଦୁଇ, ମୋର ପ୍ରାୟ ହୋସ ନାହିଁ

ଛାତିରେ କିନ୍ତୁ ତୁମର ରହି ରହି ଭୀଷଣ କମ୍ପନ ।।

ବାପା !କାଲି ବି ତୁମେ ଆମ କଷ୍ଟରେ ନିରବି କାନ୍ଦୁଥିଲ

ଆଜି ବି କାନ୍ଦୁଛ

କାହିଁକି ଏପରି କର ??

ଭାଙ୍ଗି ଦିଅ ନୀରବତା

ଦୁଃଖ କୁ ଛାତିରେ ଚାପିଦେଇ ଅଣନିଶ୍ଵାସୀ କର ନାହିଁ

ମୁକ୍ତ କର ଦର୍ଦର ଦ୍ୱାର

ପାଇଯିବି ସବୁ ତୁମ ଅସହାୟତା କୁ

ମୁଁ ମଧ୍ୟ ତୁମ ରି ହିଁ ଝିଅ ।।

ମୋ କାନ୍ଧେ ଥାପି ଦିଅ ଛାତିର ଓଜନିଆ ବୋଝ

ବିଶ୍ୱାସ କର ଭାଙ୍ଗିବିନି

ବୋହିନେବି ସବୁଯାକ ।।

ବାପା !କଥା ମାନ ।

ଖୋଲିଦିଅ ଆଜି ନିଜ ହୃଦୟ ଓ ମନ

ମନ ଭରି କାନ୍ଦ

ବନ୍ଦ କରିଦିଅ ତୁମ ନୀରବ କ୍ରନ୍ଦନ ।।

ଲୋପମୁଦ୍ରା ମିଶ୍ର


Rate this content
Log in

Similar oriya poem from Inspirational