ସର୍କାରଙ୍କ ଖଟାଳିଆ ଅଶ୍ରୁ
ସର୍କାରଙ୍କ ଖଟାଳିଆ ଅଶ୍ରୁ
ସର୍କାରଙ୍କ ଖଟାଳିଆ ଅଶ୍ରୁ
ଲୋପାମୁଦ୍ରା ମିଶ୍ର
ଆଜି ଖରାବେଳେ ଶୋଇଥିଲି ଆଖିବୁଜି
ଦକ୍ଷିଣ ଝରକା ଟା ଖୋଲାରଖି
ବୁନ୍ଦା ବୁନ୍ଦା ପାଣି ମୁହଁରେ ହେଇଗଲା ଛିଞ୍ଚି l
ଉଠି ଦେଖେତ ଆରମ୍ଭ ପ୍ରାୟ ଝଡ଼ ଆଉ ବତାସ
ଆକାଶେ ଘୋଟିଥିଲା ଅଦିନିଆ ମେଘ
ବିଜୁଳି, ଘଡଘଡି ସାଙ୍ଗକୁ ମୁଷଳଧାରାଟେ ଗଲା ବର୍ଷି l
ମୋ ଛାତ ଉପରେ ଗୁଡ଼ାଏ ଶୁଖିଲାଲୁଗା
ସବୁ ବର୍ଷା ଝଡ଼ରେ ଆଗ ଭିଜେ
ଉଡ଼ି ଛିନ୍ନଛତ୍ର ହୁଏ ଏଣେତେଣେ ପଡ଼ି l
ମୁଁ ଆଣେନାହିଁ ତୋଳି l
ଯାଇ ପାରେନି ପରା,
ଉଚ୍ଚା ଉଚ୍ଚା ଶିଢ଼ିକୁ ଚଢି l
ମୁଁ ସୈନିକର ମାଆ
ଡର, ଭୟ ନାହିଁ ଯେତେ ଦମ୍ଭ ଦେଖାଏ ମୁହଁରେ
ଛାତିରେ କିନ୍ତୁ ମୋର ଅଜଣା ଭୟଟେ
ମୂଷାପରି ଅହରହ ଗାତ ଖୋଳୁଥାଏ l
'ଯୁଦ୍ଧ ଚାହୁଁ ଯୁଦ୍ଧ ଚାହୁଁ ', ଚିତ୍କାର ଶୁଭାଯାଏ ଯେବେ
ମୋ ପୁଅର ଲହୁ ଲୁହାଣ ଦେହଟା ତଳେ ପଡ଼ି,
ମୋତେ 'ମାଆ ମାଆ ' ଡାକେ l
ମୁଁ ଉଠିପଡେ ନେବାକୁ ତାକୁ କୋଳେଇ ,
କିନ୍ତୁ ହାତରେ ପାଏ ପୁଳା ପୁଳା ମାଂସ ଓ ଆଞ୍ଜୁଳାଏ ରକ୍ତ l
ସୈନିକ ର କଣ ଶେଷ ସମ୍ପଦ ସେତକ ???
ଆଜି ପୁଣି ଶୁଣିଲି ଆଉ ଗୋଟେ ହେବ ଯୁଦ୍ଧ
ମୋ ପୁଅର ବି ଏବେ ଫୋନ ବନ୍ଦ
ଅଦିନ ମେଘର କଳା ଛାଇଟା ମୋ ଘରେ ବିଛାଡ଼ି ହେଇଥିଲା
ମୁଁ ଭୟ ପାଇଗଲି, ମୋ ପୁଅ ଠିକ ଥିବ ତ ??
ମୁଁ ମୋବାଇଲ ଖୋଲିଲି
ଲୋକେ ଯୁଦ୍ଧନାଁରେ, ପ୍ରତିଶୋଧ ନାଁରେ
ନିଆଁହୁଳା ମାନ କହୁଥିଲେ ଆଉ ଲେଖୁଥିଲେ
ଦେଶର ଜୟଜୟକାର ଧ୍ଵନି ପ୍ରତିଧ୍ୱନୀତ ହେଉଥିଲା
ମୁଁ ସେହି ଭିତରେ ଆର୍ଦ୍ର ଆଖିରେ ମୋ ପୁଅର ଶୈଶବ କୁ ଦେଖିଲି
ସେ ବିକଳରେ କାନ୍ଦି କାନ୍ଦି, 'ମାଆ ମାଆ' ଡାକୁଥିଲା l
ମୁଁ ଟିଭି ଖୋଲିଲି
ମୋ ମୁଣ୍ଡ ଘୁରେଇଲା
ଏବେ ଏ ଭାରି ଭାରି ମୁଣ୍ଡଟା ମୋର
ନଟୁ ପରି ଘୁରି ଘୁରି ଛିଡିଯାଆନ୍ତା କି !
ସମସ୍ତଙ୍କୁ ଯୁଦ୍ଧ ଦର୍କାର
ମୁଁ କଣ ଚାହେଁ କିଏ ପଚାରନ୍ତା କି !
ମୋ ପୁଅର ଫୋନ ତଥାପି ବନ୍ଦ୍
ଶୁଣ ଶୁଣ ଯୁଦ୍ଧପ୍ରେମୀ ମାନେ,
ଏହି କ୍ଷଣେ କେହି ମୋତେ ମୋ ପୁଅ ଆଣିଦିଅନ୍ତ ନି ??
ମୁଁ ରାତିରେ ଶୋଇପାରୁନି
ଝଡ଼ ସେମିତି ଲାଗିରହିଛି
ଆକାଶଟା କାନ୍ଦି କାନ୍ଦି ଲୁହ ଢାଳୁଛି l
ପୃଥିବୀ ସହୁଛି ଝଡ଼ର ତାଣ୍ଡବ
ଆମେ ସମଦୁଃଖୀ
ମୁଁ ମୋ ହୃଦୟରେ ପଥରଟେ ପାରୁନାହିଁ ରଖି l
ଦେଶର ଶକ୍ତ ସୈନିକଟା ପରା,
ମୋ କଅଁଳିଆ କୁନିପୁଅ l
ସେ ଏବେବି ମୋ ସ୍ୱପ୍ନରେ କୁଆଁ କୁଆଁ କାନ୍ଦୁଛି l
ପାହାନ୍ତା ପ୍ରହରେ ଝାପ୍ସାନିଦ
ମୁଁ ଭୟଙ୍କର ସ୍ୱପ୍ନଟେ ଦେଖିଲି
ମୋ ଆଖି ଆଗରେ ଧାଡ଼ି ଧାଡ଼ି ଶବ l
ଫୁଲ ସଜାହେଇଛି କଫିନର ଭିତର ବାହାରେ
ଜାତୀୟ ପତାକା ଢାଙ୍କି ହେଇ
ବୀରମାନେ ଶୋଇଛନ୍ତି ଚୀରନିଦ୍ରାରେ l
ମୁଁ ମୋ ପୁଅକୁ ଖୋଜୁଥିଲି
ସର୍କାରୀ ବାବୁ ମାନେ ଶାନ୍ତ ହେବାକୁ,
ସ୍ଥିର ହେବାକୁ ନିର୍ଦେଶ ଦେଲେ l
ବୀର ଜନନୀ ମାନଙ୍କ କାନ୍ଦ ଶୁଭୁଛି
ସେମାନଙ୍କ ଗୋଟିଏ 'ଧନରେ..' ଡାକ ବି ଛାତିଫଟା l
ମୁଁ ପୁଣି ଦେଖିଲି ଆଉ ଗୋଟେ ଦୃଶ୍ୟ
ଆଚମ୍ବିତ ହେଲି....
ସର୍କାର କାନ୍ଦୁଛନ୍ତି ଧାଡ଼ି ଧାଡ଼ି କଫିନ ଆଗରେ,
ବଡ଼ ବଡ଼ ଦୁଇହାତ କୁ ଯୋଡ଼ି l
ମାଆର କାନ୍ଦ କେହି କରାଅ ବନ୍ଦ
ସର୍କାର ବି କାନ୍ଦୁଛନ୍ତି ଦେଖ
ମାଆ ହେଇଗଲା ଚୁପ
କିନ୍ତୁ ଦୁଃଖୀନି ଟାର ଆଖିର କରୁଣ ଲାଲିମା ବି ଛାତିଫଟା
ସର୍କାରଙ୍କ ଲୁହ ଟୋପେ ଉଠେଇଆଣିଲି
ଜିହ୍ୱା ରେ ଲଗେଇ ଦେଖିଲି
ଏ କଣ ??
ଲୁଣି ନୁହେଁ, ଲାଗୁଥିଲା ଖଟା ଖଟା l
କଫିନ ଭିତରୁ କେହି ଜଣେ ଉଠିଲା
ଏ ମୋ ପୁଅ ନୁହେଁ ତ ??
ନାଁ ନାଁ ପୁଳାଏ ମାଂସ..
ମୋତେ କହୁଥିଲା,
"ଡରନା ଲୋ, ସେ ଅଶ୍ରୁ ପରା ନିର୍ବାଚନ ଅଶ୍ରୁ
ଖଟା ଭାରି ଖଟା " l
**********
ଲୋପାମୁଦ୍ରା ମିଶ୍ର