ମୁଁ ବେଶ୍ୟାଟିଏ
ମୁଁ ବେଶ୍ୟାଟିଏ
ସମାଜ ପୃଷ୍ଠାର
ରଙ୍ଗବେରଙ୍ଗ ଜୀବନ ଭିତରେ
ରଙ୍ଗହୀନ ଜୀବନ ନେଇ
ରାସ୍ତାକଡ଼ରେ ଛିଡ଼ା ସ୍ୱାଭିମାନ ମୋର
ନାଁ ମୋର ବେଶ୍ୟା।
ପ୍ରତି ମୁହୂର୍ତ୍ତରେ ଅନ୍ୟର ଭୋକ ମେଣ୍ଟାଇ
ମୁଁ ପେଟ ପୋଷେ
ମୁଁ ଘର ଚଳାଏ
ନିଜକୁ ନିଃଶେଷ କରିଦେଇ
ପର ପୁରୁଷ ସାମ୍ନାରେ ।
ସବୁବେଳେ ନିଜକୁ ପ୍ରସ୍ତୁତ କରେ
ପୋଷାକ ପିନ୍ଧେ କ୍ଷଣିକ ପାଇଁ
ପ୍ରଲୋଭନ କରି ଅନ୍ଧାରି ମୂଲକରେ
ଅନାବୃତ ହେବାପାଇଁ
ଦୁନିଆ ଆଗରେ ନିଜକୁ ନିଲାମ କରିବା ପାଇଁ।
ରାତିପାଇଁ ପୁରୁଷର ଅଭିଳଷିତ ହୁଏ
ନିତି ଦେହର ସୌଦାଗର ସାଜେ
ସ୍ଖଳିତ ହୁଏ ଯୌବନ
ଖିନ୍ ଭିନ୍ କରିଦିଏ
ଛାତିର କୋମଳ ମାଂସକୁ
ଆଉ କଳଙ୍କିନି ସାଜେ
ନିଜକୁ ଛିନ୍ନ ବିଛିନ୍ନ କରି ବିଛଣାରେ
ମୁଁ ପରା ବିଳାସର ପାତ୍ରୀ।
ମୋ ଦେହରେ ଚିହ୍ନ ଅନେକ ପୁରୁଷର
ଦେହ ମୋର ଘୋରିହୁଏ ପ୍ରତି ମୁହୂର୍ତ୍ତରେ
ପ୍ରତି ଥର ସମୟ ସହ ଘୋରିଦେଇ
ଲହୁ ଲୁହାଣ ହୁଏ ନିଃସହାୟ ହୁଏ
ନିଜ ବେଦନାକୁ ନିଜେ ଆଲିଙ୍ଗନ କରେ
କାହାକୁ କହିବି,ଦେଖେଇବି
ବୁକୁଫଟା ମୋର ଜର୍ଜରିତ କଷଣକୁ
ପୁଣି ସବୁକଥାକୁ ସାଉଁଟି ପାଲଟିଯାଏ
ପାଷାଣର ଏକ ମୂର୍ତ୍ତି
ଆଉ ଭାବେ ,
ମୁଁ ପରା ବେଶ୍ୟା।
ନିତି ଭିଜେ ଲୁହରେ
ଆହାଃ କହିବାକୁ ନାହିଁ କେହି
ହେ ମୋର ପ୍ରିୟ ପୁରୁଷ ଆସ
ମୋର ଅର୍ଦ୍ଧନଗ୍ନ ଶରୀରରେ ମୋହ ତୁମର
ଚରିତାର୍ଥ କର ତୁମର କାମନା
ମୋର ଦେହକୁ ଖୁମ୍ପି ଖାଇବାରେ
ଅସୀମ ଖୁସି ତୁମର
କରିଦିଅ ନିଲାମ ମୋର ଇଜ୍ଜତକୁ
ହେ ମୋ ଶରୀର ଭକ୍ଷକ
ମୋର ଦେହର ବାସ୍ନା ପରା ତୁମକୁ
ଟାଣି ଆଣେ ଏଇ ଅଦେଖା ଇଲାକାକୁ
ବେଶ୍ୟାଶାଳାର ଅଗଣାକୁ।
ଚୁମ୍ବନ କର ମୋର ଥରିଲା ଓଠକୁ
ବନ୍ଦ କରିଦିଅ ନିଜ ଓଠରେ ବାଧକ ଦେଇ
ଜାକିନିଅ ନିଜ ବାହୁବଳରେ
ମୁଁ ପରା ପଣ୍ୟଦ୍ରବ୍ୟ ଟିଏ
ଖୋଲିଦିଅ ନିଜର ସମାଜ ସୁଜନର ମୁଖାକୁ
ଆଉ ଲୁଟିନିଅ ନିଜର ବାସନାର ପାଗଳପଣରେ
ଦେହକୁ ଦାହ କରି ମୁଁ ସହିଯିବି
ଓଠରେ ମୁଠାଏ ହସ ଭରି
ମୁଁ ପରା ବେଶ୍ୟା।