ମୁଖାପିନ୍ଧା ମଣିଷ
ମୁଖାପିନ୍ଧା ମଣିଷ
ମୁହେଁ ରାମ ରାମ ଭିତରେ ହାରାମ
ଥାଏ ଟି ଯିଏ ସେ ରହି
ସମୟ ଆସିଲେ ମୂଳ ସୁଧ ସହ
ଦେଇଥାନ୍ତି ଶାସ୍ତି ବିହି ।
ମଣିଷ ହେଇକି ମଣିଷର ପୁଣି
ଅମଙ୍ଗଳ ଚିନ୍ତେ ଯିଏ
ଜଗତର କର୍ତ୍ତା ସକଳ ଈଶ୍ୱରୁ
ବେଳୁହୁଁ ଫଳ ସେ ପାଏ ।
ରକ୍ତ ମାଂସ ଗଢ଼ା ଶରୀରକୁ ନେଇ
ଅହଙ୍କାର ଭାବ କେତେ
କ୍ଷଣ ଭଙ୍ଗୁର ମାଟିପିଣ୍ଡୁଳାଟି
ମାଟିରେ ମିଶିବ ସତେ ।
ଆଜିର ମଣିଷକୁ ଭୟଲାଗେ ପୁଣି
ରୂପ ହାବଭାବ ଦେଖି
ମୁହଁରେ ମଧୁର ଭିତରେ ଅଙ୍ଗାର
ଜାଣି ହୁଏ କି ଲକ୍ଷ୍ୟ ରଖି ।
ମଣିଷ ମାତ୍ରକେ ମାରାତ୍ମକ ପ୍ରାଣୀ
ହୁଏ ନାହିଁ ଦେଖି ଚିନ୍ହି
ନିଜକୁ ନ୍ ଦେଖି ଅନ୍ୟ ଦୋଷ ଗୁଣ
ବାଛୁଥାଏ ହୋଇ ତୁନି ।
ମଣିଷକୁ ବିହି ଗୋଟିଏ ଭାରରେ
ଦୁଇ ପଲ୍ହା ଦେଇଥାଏ
ଆଗ ଭାରକୁ ଦେଖି ବାଛି ବାଛି
ପଛ ଭାର ଭୁଲିଯାଏ ।
ନିଜର ଦୋଷ ଯେ ଦୋଷ ତ୍ ନୁହଇ
ପର ଦୋଷ ଅପରାଧ
ସେମିତିକା ନର ଏ ଭଵ ସଂସାରେ
ନିହାତି ହିଁ ନିରବୋଧ ।
