ମଉଳା ଶୈଶବ
ମଉଳା ଶୈଶବ
ଶୈଶବକୁ ଭୁଲି ଶିଶୁଶ୍ରମିକ ମୁଁ
ଖଟି ଥାଏ ପେଟ ପାଇଁ
ଦୁଇଓଳି ପାଇଁ ଖାଇବା ମିଳିବ
କାମ କଲେ ସିନା ଯାଇଁ।।
ସରେ ନାହିଁ ମୋର ଦୁଃଖ ର କଳଙ୍କ
କରମେ କଷଣ ଲେଖା
ଲୁହ ବଦଳରେ ଲହୁ ବୋହିବାଟା
ଏହି ମୋ ଭାଗ୍ୟ ର ରେଖା।।
ଘରେ ପାଞ୍ଚପ୍ରାଣୀ କୁଟୁମ୍ବ ଆମର
ବାପ, ମାଆ ମୋ ରୋଗୀଣା
ଭାଇ ଭଉଣୀ ଙ୍କ ପେଟ ପୁରେ ନାହିଁ
ଗୋଟାନ୍ତି ସେ ଜରିମୁଣା।।
ପିନ୍ଧିବାକୁ ଖଣ୍ଡେ ମିଳେନି ବସନ
ପେଟ ପାଇଁ ନାହିିଁ ଦାନା
ସ୍ବାଧୀନ ଦେଶର ସନ୍ତାନ ଆମେ
ପାଠ ଆମ ପାଇଁ ମନା।।
ଅଦୃଶ୍ୟ ଅନ୍ଧାର ଆଖି ଆଗେ ମୋର
ଈଶ୍ବର ଏବେ ପଥର
ଅପପୁଷ୍ଟି ମଧ୍ଯେ ଶୀର୍ଣ୍ଣ ଲାଗୁଥାଏ
ଶରୀର କଙ୍କାଳ ସାର।।
କାମର ବୋଝରେ ଶ୍ରମ ବିନ୍ଦୁ ପୋଛି
ମାଗି ଆଣେ ମୋର ମୂଲ
ଲୁହର ନଈରେ ପହଁରି ପହଁରି
କହୁଥାଏ ସବୁ ଭଲ।।
ଅସ୍ଥିର ମନରେ ମରୁଭୂମି ଭଳି
ଜଳେ ସଦା ଅନଳରେ
କଅଁଳ ବୟସେ ଆର୍ତ୍ତନାଦ ମୋର
ପଡେନି କାହା କର୍ଣ୍ଣରେ।।
ସଭ୍ଯ ସମାଜର ଲୋକ ପ୍ରତିନିଧି
ଆଖି ଖୋଲି ଦେଖ ଥରେ
ଶିଶୁ ଶ୍ରମିକ ମୁଁ ଅଭିଶପ୍ତ ଟିଏ
କେମିତି ଅଛି ଧରାରେ।।
ସପନଟା ମୋର ନିଦେ ଶୋଇଯାଏ
ଛନକା ପଶି ଛାତିରେ
ଦୁଃଖ ର ଗୁହାରୀ କା ଆଗେ କରିବି
ପେଟ ମୋ ଜଳେ ଭୋକରେ।।
ଶିଶୁ ଶ୍ରମିକ ମୁଁ ଲୁହରେ ଭିଜୁଛି
ସଂସାର ବୋଝକୁ ବୋହି
ଘୁରି ବୁଲୁଥାଏ ଅନାହତ ମନେ
ଜୀବନ ବ୍ଯଥାକୁ କହି।।