ଉଦାରତା ଜହ୍ନ ଉଏଁ
ଉଦାରତା ଜହ୍ନ ଉଏଁ
ଉଦାର ହୃଦୟ ସୁଶୀତଳ ଉତ୍ସ
କୋମଳ ଜଳ ସଦୃଶ
ହରେ ଦୁଃଖକଷ୍ଟ ତୃଷାର୍ତ୍ତ ପରାଣେ
ଭରେ ଆନନ୍ଦ ସନ୍ତୋଷ ।
ଉଦାର ସ୍ୱଭାବ ସୁମହତ ଗୁଣ
ଦାନ ଧର୍ମ ଦୟାକ୍ଷମା
ଉଜ୍ଜ୍ୱଳ ଆକାଶ ଉଦାର ହୃଦୟ
ଅମୃତ ଭାବ ସୁଷମା ।
ଉଦାର ବ୍ୟକ୍ତିତ୍ୱ ସମର୍ଥ ସାର୍ଥକ
ଫଳଛାୟା ସମନ୍ୱିତ
କରେ ପରିପୂର୍ଣ୍ଣ ଆଶ୍ରୟ ପ୍ରଦାନ
ସ୍ଥିତପ୍ରଜ୍ଞ କଳ୍ପବୃକ୍ଷ ।
ଭାବେ ନାହିଁ ସିଏ ପର ଆପଣାର
ହୁଅଇ ସାହା ଭରସା
ବସୁଧାକୁ ମଣେ କୁଟୁମ୍ବ ନିଜର
ଜୀବନେ ସଞ୍ଚରେ ଆଶା ।
ଅନାହତ ଚକ୍ରେ ଉଦାର ସ୍ୱଭାବ
ସୁବିମଳ ବିମ୍ବ ପ୍ରାୟେ
ଢାଳଇ ଜୋଛନା କଲ୍ୟାଣ କାରଣେ
ଉଦାରତା ଜହ୍ନ ଉଏଁ ।