ମୁକ୍ତିର ଦ୍ଵାର
ମୁକ୍ତିର ଦ୍ଵାର
ମଣିଷ ହୃଦୟ ବନ୍ଧା ପଡ଼ିଥାଏ
ସେନେହ ଡୋରିର ମିଛ ସମ୍ପର୍କେ ,
ମିଛ ମାୟା ମୋହ ବୁଝିବ ବା' କାହୁଁ
ପାପ,ପୁଣ୍ୟ ଇଶ୍ୱରୀୟ ବିତର୍କେ ।
ସତ୍ୟ ସୂରୁଜରେ ମିଥ୍ୟା ରଜନୀରେ
ସତ୍ୟର ସ୍ୱରୂପ ଚିତ୍କାର କରେ ,
ତଥାପି ଏ' ମନ ମାୟା ବନ୍ଧନରୁ
ମୁକୁଳି ପାରେନି ପାପ ଅନ୍ଧାରେ।
ଗର୍ବ, ଅହଙ୍କାର ଗହଣା ଭିତରେ
ଶୁଦ୍ଧ ସୁନା ଲାଗେ ବେଙ୍ଗି ପିତ୍ତଳ ,
ସମ୍ପର୍କ ଘାଟରେ ପ୍ରକୃତି, ପୁରୁଷ
ସନ୍ତାପିତ ହୃଦେ ଢାଳେ ଗରଳ ।
ମୋର ମୋର ବୋଲି ମୃଗତୃଷ୍ଣା ପଛେ
ମୁଁ' କାର ଚିତ୍କାରେ ଦଉଡି ଥାଏ ,
ତୃଷା କି ମେଣ୍ଟିବ ମାୟା ମରୁବାଲି
ଶେଷେ ହା'ହା'କାରେ ଜୀବନ ଯାଏ ।
ମୋର, ମୋର ବୋଲି କିଛି ନାହିଁ ଏଠି
ବଞ୍ଚିଥିବା ଯାଏ ମାୟା ସଂସାର ,
ମଲା ଦୁଇ ଘଡ଼ି ଶବ ବୋଲି କହି
ଦୂରେ ଠିଆ ହେବେ ଲୋକେ ନିଜର ।
ତୋର, ମୋର ଭାବ ବଞ୍ଚିଥିବା ଯାଏ
ମୋହ ଭରା ଏଇ ମାୟା ସଂସାର ,
କର୍ତ୍ତବ୍ୟ ଡୋରି'ରେ ସଭିଏଁ ତ' ବନ୍ଧା
ପ୍ରକୃତରେ କେହି ନୁହେଁ କାହାର ।
ଆସିଛନ୍ତି ଏକା ପ୍ରଭୁ ନିର୍ଦ୍ଦେଶରେ
ଯିବା ବି' ତାଙ୍କର ନିର୍ଦ୍ଦେଶ ହେଲେ ,
ଭୋଗାଭୋଗ ସବୁ ପ୍ରାରବ୍ଧ ଲିଖନ
ବାହୁଡ଼ିବେ ସର୍ବେ ଖେଳ ସରିଲେ ।
ଜୀବ ଥିବା ଯାଏ ଲୁଚକାଳି ଖେଳ
ଆଶା, ନିରାଶାର ଭାବ ସମ୍ଭାର ,
ତର୍କ, ବିତର୍କର ସବୁଠୁ ଉର୍ଦ୍ଧ୍ବରେ
ଏକା ରାମ ନାମ ମୁକ୍ତିର ଦ୍ଵାର ।
ହରେ କୃଷ୍ଣ, ହରେ କୃଷ୍ଣ, କୃଷ୍ଣ, କୃଷ୍ଣ ହରେ ହରେ
ହରେ ରାମ, ହରେ ରାମ, ରାମ, ରାମ , ହରେ ହରେ।
