ମୁକ୍ତିପଥ
ମୁକ୍ତିପଥ
ଆରମ୍ଭ ହୁଅଇ ଯେଉଁଠାରୁ, ପୁଣି
ଅନ୍ତହୁଏ ସେଇଠାରେ,
"ଠ" ମୁଣ୍ଡୁଳାରେ ଘୂରି ବୁଲୁଥାଏ
ପଡି କାଳର ଚକ୍ରରେ।
ନ ବୁଝି ପାରଇ ଜୀବନ ରହସ୍ଯ
ଜନ୍ମ ମୃତ୍ୟୁ ବାରମ୍ବାର,
ମାନବ ଜୀବନ ହୁଏ ଅକାରଣ
ମନୁ ନ ଛାଡେ ବିକାର ।
ମାନବରୁ କୀଟ, କୀଟରୁ ଉଦ୍ଭିଦ,
ଉଦ୍ଭିଦରୁ ପଶୁ ଯାଏ,
ମାନବ ଜୀବନ ପାଇବା ପାଇଁକି
ଚୌରାଅଶି ଯୋନି ପାଏ ।
ଏହା ଜାଣିଶୁଣି ତେବେ ବି ମନୁଷ୍ଯ
ଗର୍ବ ଅହଙ୍କାର ଭରି,
ପର ଧନ ଲୁଣ୍ଠି ପର ତଣ୍ଟି ଚିପି
ଲୋଭ ମୋହେ ରହେ ପୂରି ।
ଯୋନିଜନ୍ମା ପୁଣି ହେବ ଭୁଲି ଭାବେ
ଏଇଟା ଶେଷ ଜୀବନ
ଆମୋଦପ୍ରମୋଦେ କାଟିଦେବ ଦିନ
ରହିଥିବାଯାଏ ପ୍ରାଣ ।
ମୁକ୍ତିପଥ ହୁଡି ଅଜ୍ଞାନବଶତଃ
କାମନାରେ ବଶୀଭୂତ,
ଭାବୁଥାଏ ଏହା ସଂସାରର ଖୁସି
ଆଉ ନାହିଁ କିଛି ସତ୍ଯ ।
ରେ ମୂଢ ମାନବ ଥରୁଟିଏ ଭାବ
ଆତ୍ମା ତୋ ଭିତରେ ଅଛି,
ଆତ୍ମଜ୍ଞାନ ପାଇ ପାରିଲେ ଜୀବନେ
ସଂସାରରେ ନାହିଁ କିଛି ।
କରୁଥିବ ଯଦି ପରମାତ୍ମା ଭାବ
ମୁକ୍ତିପଥ ପାଇଯିବ,
ଜୀବନଜଞ୍ଜାଳୁ ଛୁଟି ମିଳିଯିବ
ଭଜିଲେ ରାଧାମାଧବ ।