ମୁକ୍ତିଦାତା
ମୁକ୍ତିଦାତା
ଆମେ ଲେଲିହାନ ଅନଳର ଶିଖା
ଧୂସର ବୁକୁର ଧୂସରିତ ରେଖା
ଅତ୍ୟାଚାରୀର ରକ୍ତ ଆମର ଚିତା,
ମୁକ୍ତିର ତୀର୍ଥେ ବନ୍ଦୀର ସଖା
ଏ ଜାତିର ମୁକ୍ତିଦାତା,
କହି ପାରେନା ସେ କଥା
ସାଧନାର ପଥେ ସିଦ୍ଧିର ବାଡ଼
ଘୁରିଯାଏ ତାର ମଥା ।
ଝଡ଼ ଛୁଟେ ଆଜି ଅଗ୍ନି ବଳୟ ଡେଇଁ
କାମନା, ବାସନା ବହୁଦୂରେ ଠେଲିଦେଇ
ଭଗ୍ନୀ ଯାହାର ରମାଦେବୀ ପରି ମାତା,
ବୀର ପ୍ରସବିନୀ, ଉତ୍କଳ ନନ୍ଦିନୀ
ଏ ଜାତିର ମୁକ୍ତିଦାତା,
ରଣ ହୁଙ୍କାର ଦିଏ
ଭାଙ୍ଗିଦିଅ ହେ ରୁଦ୍ଧ କାରାକୁ
କାନେ କାନେ କହିଯାଏ ।
ଦୂର ଦିଗବଳୟେ ଜଳୁଅଛି ଯୁଇ
ନିରବଧି ଜଳୁଥିବ ଦେଶ ପାଇଁ
ମହା ମନ୍ତ୍ରରେ ମନ୍ତ୍ରିତ ସେଇ ପିତା,
ସୁଆଣ୍ଡୋ ଗ୍ରାମର ଅମର ପୁରୁଷ
ଏ ଜାତିର ମୁକ୍ତିଦାତା,
ବଢ଼ି ଅବା ମରୁଡିରେ
ଦିନ ରାତି ଯିଏ ଘୁରି ବୁଲୁଥିଲେ
ବାସହରା ଦୁଆରରେ ।
ନିୟତିର ଏ କି ନିର୍ମମ କଥା
ବ୍ରାହ୍ମଣୀ ଘାଟରେ ରହିଗଲା ଗାଥା
ଶାଶ୍ୱତ ସେଇ ବାଜିଆ ଜଗତଜିତା,
ବାର ବରଷର ବାଳୁତ ପିଲା ବି
ଏ ଜାତିର ମୁକ୍ତିଦାତା,
ଡାକେ ଆଜି ହାତଠାରି
ଢେଙ୍କାନାଳର ଗଡଜାତ କୋଳେ
ଶାନ୍ତି ପୀୟୂଷ ଧରି ।