ମୁଖା ତଳର ଗଜଲ
ମୁଖା ତଳର ଗଜଲ


ତା ଓଠ ବଗିଚାରେ ହସର ପ୍ରସୂନ ଫୁଟି ସିନା ଯାଉଥିଲା
ବାରମ୍ବାର ବୁଲି ପଛକୁ ସେ ତାର ଆଖି କାହିଁ ମଳୁଥିଲା।
ଆତ୍ମୀୟତାର ମୁଖା ପିନ୍ଧି ମୋର ଦୁଆରେ ହେଲା ହାଜର
କିଏ ଜାଣିଥିଲା ଛାତି ପକେଟରେ ଛୁରୀ ଆଣି ଆସିଥିଲା।
କାନ୍ଦିକାନ୍ଦି କେତେ ନେହୁରା ହୋଇ ସେ ଆଶ୍ରୟ ନେଲା ମୋ ଘରେ
ରାତିକରେ ମୋର ଘରେ ସେ ଲୁଟେରା କଳାକନା ବୁଲାଇଲା।
ସେଦିନ ଧବଳ କୁର୍ତ୍ତାରେ ତାଙ୍କର ଲମ୍ବିଥିଲା ଫୁଲହାର
ରାତି ଅନ୍ଧାରରେ ଆମ୍ବିଳା ଗନ୍ଧରେ ଚିତ୍କାର କା ଶୁଭୁଥିଲା।
ଗେରୁଆ ପୋଷାକ ମସ୍ତକରେ ଜଟା ଲୋଟନ୍ତି ଭକତେ ପାଦେ
ଗମ୍ଭୀରା ଘରର ମୁକୁଳା ଦୁଆରୁ ନଗ୍ନ ମୁଖ ଦିଶିଗଲା।
ଭଣ୍ଡାର ଘରର ଚାବି ଥିବା ଯାଏଁ ମୋ ପାଖରେ ଭାରି ଭିଡ଼
ସମୟ ପଶାରେ ହାରିଗଲା ପରେ ସବୁ ଭିଡ଼ ଭାଙ୍ଗିଗଲା।
ମଧୁବୋଳା କେତେ ବଚନେ ମୁଁ ହେଲି ଅକାରଣେ ଲାଳାୟିତ
ତା ସ୍ୱାର୍ଥର ପଥରେ ବାଧାହେବା ଦେଖି ସେ ଅଧାବାଟୁ ଫେରିଗଲା।
ଭଦ୍ରମୁଖା ପିନ୍ଧି ଚାଲନ୍ତି ଅନେକେ ନକଲି ଆଦର୍ଶ ଧରି
ମୁଖା ତଳର ସେ ଅସଲି ଚେହେରା ଖୋଜି ଆୟୁଷ ସରିଲା।
ଆଉ ପଢ଼େନାହିଁ ଅପର ଚେହେରା ନିଜକୁ ନିଜେ ମୁଁ ପଢ଼େ,
ଭାବନା ସହିତ ମୋ ଚେହେରା ପରଖି ଆଇନା ବି ହସି ଦେଲା।