ମୁହିଁ ପରା ତୁମ ଦାସ
ମୁହିଁ ପରା ତୁମ ଦାସ
ଅନିନ୍ଦ୍ୟ ସୁନ୍ଦର ମୋ କଳା ଠାକୁର
କେଡେ ମନୋହର ଦିଶ
ଚାହିଁଦେଲେ ମୁଖ ସେ କୋଟି କନ୍ଦର୍ପ
କ୍ଷଣେ ହରିଯାଏ କ୍ଲେଶ
ଭାବିଦେଲେ ଥରେ ହୃଦୟରେ ଭରେ
କସ୍ତୁରୀ ଚନ୍ଦନ ବାସ
ମନର କୁଞ୍ଜରେ ନାଚେଲୋ ଖଞ୍ଜରେ
ରସରାଜଙ୍କର ରାସ
କେଜାଣିଲୋ କାହିଁ ନିଏ ମୋତେ ମୋହି
ତୋ ଅଧା ଅଧର ହସ
ମାଗିବାକୁ ଚାହିଁ ମାଗିପାରେ ନାହିଁ
ମନଚୋର କୃତିବାସ
ଅଛି ତ ନିଶ୍ବାସ ରଖିଛି ବିଶ୍ବାସ
ପ୍ରଭୁ ମୋର ପୀତବାସ
ମାରିଲେ ମାରିବ ତାରିଲେ ତାରିବ
ମୁହିଁ ପରା ତୁମ ଦାସ
କ୍ଷମା ସିନ୍ଧୁ ମୋର କ୍ଷମା ମୋତେ କର
କରିଥାଏ ଯଦି ଦୋଷ
ପତିତ ପାବନ କରୁଣା ନିଦାନ
କରିକି ପାରିବେ ରୋଷ ?