ମୁଗ୍ଧ ହସଟିଏ
ମୁଗ୍ଧ ହସଟିଏ
ସେଇ ସ୍ମିତ ହସଟିଏ
ଲାଗିଥାଏ ନିବୁଜ ଓଠରେ
କେତେ ଯେ ରହସ୍ୟରେ ଭରା
ଗୋପନ ଇଛାରେ !
ତୁମେ ଇଛାମୟ ...
ହସଟିଏ ଚୋରାଇ ଆଣିଚ
ଗୋପପୁରୁ କେଉଁ କାଳୁ
ତୁମ ମୋହନ ରାଗରେ !
ହସ କେବେ ଉଇଁ ଆସେ ସକାଳର
ସୂରୁଜ ଓଠରେ
ଛଳ ହୀନ ହସଟିଏ ଝରିପଡେ କେବେ
ବିମୁଗ୍ଧ ବିଳାସର ଫୁଲ ପାଖୁଡାରେ
ଛପି ଛପି ଚିତ୍ରିତ ପ୍ରଜାପତି ଧରିବାର
କଅଁଳ ମନର ଅଦମ୍ୟ ଇଛାରେ ।
ହସଟିଏ ଲୁଚକାଳି ଖେଳେ
କିତି କିତି ବୋହୂଚୋରୀ
ମୁହଁ ସଞ୍ଜ ନଈପଠାଧାରେ ,
ହସଟିଏ କୁଆଁରୀ ଲାଜର
ଲାଜକୁଳୀ ଲତାଟିଏ
ମୁହଁ ଢାଙ୍କେ ନାଲି ପଣତରେ ।
ହସମୁଣି ଖୋଲିଯାଏ
ଖିଲିପାନ ବଟୁଆର ମିଶ୍ରିତ ଛନ୍ଦରେ
ଅଜା ଆଈ ଗପ ପସରାରେ ।
ମଥୁରା ନରେଶ କଂସ ହସ ଶୁଭେ
ଧନୁଯାତ୍ରା ମହୋତ୍ସବେ
କୁଟିଳ ସେ ଆତ୍ମଗର୍ବ
ଅହଂକାର ଭାଷା ,
ହସ କେବେ ଅଙ୍କ କଷେ
ମାପି ଚୁପି ମିଳନର ଆଶା ।
ସୁଧା ହସ ଝରିପଡେ କେବେ କେଉଁ
ଦେହଳିରେ ଯାଇ ,
ମିଳନର ମଧୁମାସ କଳକଳ
ବୋହିଯାଏ ବେଗବତୀ ନଈ ।
ହସ କେବେ ପଣ୍ୟ ହୁଏ ବିପଣୀରେ
ହସ ପାଇଁ କବି ସମ୍ମିଳନୀ
ଚଳଚ୍ଚିତ୍ର ନାଟକରେ ହସ ର ପସରା
ପ୍ରଦର୍ଶିତ ଦିବସ ରଜନୀ ।
ହସଟିଏ ଉଙ୍କିମାରେ ଅକସ୍ମାତ
ଯଦି କେହି ଝୁଣ୍ଟିପଡେ
କାହା ଦୁଃଖ ବେଦନାର ଭାରେ
ହସ ଫୁଟେ ବିଜିତ ଓଠରେ
ଚପଳାର ଆଭାପରି ନିମିଷକ
ମଧୁର ଲଗ୍ନରେ !
ହସ ଧରି ରଖେ ନାହିଁ ଓଠ
ବିମ୍ବିତ ଯା ସମୟ ଛାତିରେ
ହସ ଏକ ବାରିହୀନ ମେଘ
ଉଡିବୁଲେ ମନ ଆକାଶରେ ।
ହସ ଏବେ ବେଶୀ ଲୋଡା
ବଞ୍ଚିବାର ଅମ୍ଳଜାନ ଟିଏ
ହସ ଖିଏ ଝରିଗଲେ ଓଠୁ
ଆଉ କାହା ହୃଦ ଛୁଇଁ ହୁଏ ।
ଯାତନାର ଯତୁଗୃହେ ଥାଇ
ହସ ଲୋଡେ ବାରବାର ସଖୀ
ତୁମ ଓଠ ତଳ ମନ୍ଦହସ
ମୋ ଓଠରେ ଯାଉଥରେ ଲାଖି !