ମୁଗ୍ଧ ଆବେଗ
ମୁଗ୍ଧ ଆବେଗ
ଅଳସୀ ହସର ଲାବଣ୍ୟ ସୁଷମା
ନୀଳ ତୃଷ୍ଣାର କବିତା ରଚେ
ଶୀତ ରାଣୀ ଶୋଭା ଝରା ଶିଶିରରେ
ମନ ଉପବନେ ଭଅଁର ନାଚେ
ସେଇ ଉପବନେ ହେ ମୋର ରାଧିକା
ରଚିବୁ ବିଦେହ ରାସ
ତୋ ଆତ୍ମାର କୋଣୁଁ ମୋହନ ପରଶେ
ଝରିବ ମାଧୁର୍ଯ୍ୟ ରସ
ଯମୁନା ନଈର କାଚକେନ୍ଦୁ ପାଣି
ଉଜାଣି ଅନ୍ତରେ ଝରୁ
ଶାଶ୍ୱତ ପ୍ରେମର ପୁଲକ ଉଚ୍ଛ୍ୱାସେ
ହୃଦୟେ ବେପଥୁ ଭରୁ
ଶିଳା ଖଣ୍ଡ ପରେ ମୁଗ୍ଧ ଆବେଗେ
ଆବେଗରେ ଥିଲେ ବସି
ଭାବ କଳ୍ପନାର ସିକ୍ତ ତରଙ୍ଗେ
ଭିଜିଥିଲା ଦଶଦିଶି
ତୁମ ସ୍ୱଭାବ ସୁଲଭ ଲଳିତ କଣ୍ଠରେ
ମହୁବୋଳା ସ୍ନେହ ସୁଧା
ଝରି ଆସିଥିଲା ନିର୍ଝରିଣୀ ସମ
କାହିଁରେ ନ ମାନି ବାଧା l