ମରୁପଥେ ଜୀବନ
ମରୁପଥେ ଜୀବନ
ଚାଲିବାର ସ୍ପୃହା ହଜେ ଡହ ଡହ ତାତିଲା ବାଲିରେ
ପଥଭ୍ରଷ୍ଟ ପଥିକ ମୁଁ ପଥ ଖୋଜେ ଆଗ୍ନେୟ ବିପିନେ
ଝରିଯାଏ ସତେକି ରୌଦ୍ରର ଅକାଟ୍ୟ ଅଭିଶାପ
କେଉଁ ଏକ ପୂର୍ବ ଜନ୍ମର ପ୍ରାରବ୍ଧର ଦ୍ୱାହିରେ।।
ଥରିଉଠେ ପ୍ରଭଞ୍ଜନ ସବିତାର ତପ୍ତ ହୁତାଶନେ
ଜଳିଯାଏ ପଦ ବେନି ଜୀବନର ଜ୍ଵଳନ୍ତ ପଥରେ
ଅନ୍ତରୀକ୍ଷେ ଶୁଭେ ସତେ ମାୟାର କ୍ରୁର ଅଟ୍ଟାହାସ୍ୟ
ଆଖି ଝଲସି ଯାଏ ମଧ୍ୟାହ୍ନର ଉଲଙ୍ଗ ଧୂପରେ।।
ତୃଷିତ ପରାଣ ଖୋଜେ ଶୀତଳ ସଲିଳରୁ ଢୋକେ
ଖଜୁରୀର କ୍ଷୀଣଛାୟା ଭରିଦିଏ ହୃଦୟରେ ଆଶାରୁ କିଞ୍ଚିତେ
ମରୀଚିକା ଜାଣି ବି ମୁଁ ଧାଇଁଯାଏ ଜଳର ପ୍ରାପ୍ତିର ସନ୍ଧାନେ
ମିଳିଗଲେ ମରୁଦ୍ୟାନ ତୁପ୍ତ ହେବ ପ୍ରାଣ ପାଇ ଶୀତଳ ଉଦକେ।।
କଣ୍ଟକିତ ଗୁଳ୍ମ ସତେ ତପସ୍ୟା ନିରତ ମୋକ୍ଷ ପ୍ରତୀକ୍ଷାରେ
ଝୁଲି ଝୁଲି ଓଟ ଚାଲେ ଭାସମାନ ତରଣୀ କି ଅଗ୍ନି ପାରାବାରେ,
ଘଡ଼ିଏ ଲାଗେ କି ସତେ ଯୁଗଟିଏ ପରି ଏ ମରୁପଥେ
ଅଭ୍ରହୀନ ନଭଃପୃଷ୍ଠ ଭୀତତ୍ରସ୍ତ ଅର୍କ ଶାସନରେ।।
ସମୟର ନିଶୁଣୀରେ ଓହ୍ଲେଇ ଆସେ ଦିନ ଦିଗନ୍ତକୁ ଛୁଇଁ
ରକ୍ତିମ ବାରୁଣୀ ହସେ ପ୍ରଦୋଷର ଆଗମନୀ ଗାଇ
ଶୀତସ୍ୱପ୍ନ ବିଭୋର ହୃଦୟେ ବାଜିଉଠେ ବିଭାବରୀ ରାଗ
ବିଶ୍ରାମ ଆସକ୍ତ ଗାତ୍ର ନିଦ୍ରା ଯାଏ ଶୀତଳତାର ସୁଧାଧାରା ପାଇ।।
ଏ ଜୀବନ ମରୁପଥଟିଏ, ବାଧ୍ୟକରେ ଚାଲିବାକୁ ନିତି
ଖୋଜିବାକୁ ପଡ଼େ ବଞ୍ଚିବାର ରାହା ହୃଦେ ଭରି ଦୃଢ଼ ଆତ୍ମଶକ୍ତି
ରାତିଏ ବିଶ୍ରାମ ପରେ ଚାଲିବାକୁ ହେବ ଶେଷସୀମା ଯାଏଁ
ଭାଙ୍ଗିଦେଇ ମୋହ ମାୟା ବିକାରର ଘନ ଘୋର ଭ୍ରାନ୍ତି।।
