ମୃତ୍ୟୁଯାତ୍ରୀ
ମୃତ୍ୟୁଯାତ୍ରୀ


ମୃତ୍ୟୁ ପଥର ପଥିକ ଅଟେ ମୁଁ
ନାମ ମୋର ମୃତ୍ୟଯାତ୍ରୀ
ମୃତ୍ୟୁର ତୀର୍ଥେ ମୁକ୍ତି ଲାଳସାରେ
ସାଜିଛି ମୁଁ ତୀର୍ଥଯାତ୍ରୀ ।
ନାହିଁ ମୋର ନାମ ନାହିଁ ମୋ ଧରମ
ନାହିଁ କେହି ବନ୍ଧୁ ପରିବାର
ଆସିଥିଲି ଏକା ଯାଉଛି ମୁଁ ଏକା
ଲୋଡ଼ା ନାହିଁ ସାଥି ସହୋଦର ।
ଧର୍ମ ନାମେ ନିତି ଝରଇ ରୁଧୀର
ତୀର୍ଥ ପାଲଟିଛି ମୃତ୍ୟୁପୁର
ମଣିଷ ବୁଝେନା ମାନବୀୟ ସତ୍ତା
କରିଚାଲେ ନୂଆ ବ୍ୟଭିଚାର ।
ନିଃସ୍ଵ ଜୀବନେ ଶେଷ ଆଶା ବୁଣି
ମୃତ୍ୟୁ ଡାକେ ଅତି ନୀରବରେ
ଶେଷ ଯାତ୍ରାକୁ ଅତିକ୍ରମ କରି
ଶୋଇଯାଅ ଆସି ମୋ କୋଳରେ ।
ତୁଟିଯିବା ପରେ ଜୀବନର ମୋହ
ଥିଲା ଯେତେ ଆଶା ଅଭିଳାଷା
ମୃତ୍ୟୁଯାତ୍ରୀଟିଏ ପାଲଟି ଆଜି ମୁଁ
ଖୋଜିବୁଲେ ମୃତ୍ୟୁ ପରିଭାଷା ।
ଯେତିକି ଦେଖିଲି ଜୀବନର କାୟା
ମିଛ ମାୟାରେ ତ ଭରପୂର
ମୃତ୍ୟୁର ପଥରେ ନାହିଁ ତ ଛଳନା
ନାହିଁ କଳଙ୍କିତ କଳେବର ।
ତେଣୁ ମୁକ୍ତି ପଥେ ଏହି ମୋର ଯାତ୍ରା
ମୃତ୍ୟୁ ହିଁ ମୋର ଲକ୍ଷ୍ୟସ୍ଥଳ
ମୃତ୍ୟୁଯାତ୍ରୀ ମୁହିଁ ମୃତ୍ୟୁର ସନ୍ଧାନେ
ବୁଲୁଅଛି ଆଜି ଦ୍ଵାର ଦ୍ଵାର ।