ମୃତ୍ୟୁ
ମୃତ୍ୟୁ
ମୃତ୍ୟୁ ଜୀବନର ଅନ୍ତିମ ଠିକଣା
ଏହି ଭବ ପାରାବାରେ,
ଜୀବନର ଦୀପ ହୁଏ ନିର୍ବାପିତ
ଭେଟ ହେଲେ ତା ସାଥିରେ ।
ଆତ୍ମାର ବିଚ୍ଛେଦ ଶରୀରରୁ ହେଲେ
ମୃତ୍ୟୁ ଶବ୍ଦ ଉତ୍ପନ୍ନ,
ପଞ୍ଚଭୂତ ତନୁ ପଞ୍ଚତତ୍ତ୍ୱ ମଧ୍ୟେ
ହୋଇ ଯାଏଟି ବିଲୀନ ।
ତିନିହାତ ଭୂମି ଶେଷେ ମିଳିଥାଏ
ତା' କୋଳେ କଲେ ଶୟନ,
ଜନ୍ମ ହୋଇଥିବା ସର୍ବ ଜୀବଗଣ
ମୃତ୍ୟୁ ପଛେ ଧାବମାନ ।
ଭିନ୍ନ ଭିନ୍ନ ରୂପେ ମୃତ୍ୟୁଟି ପ୍ରକାଶେ
ମୃତ୍ୟୁ ଲୋକ ଯେଣୁ ଏହା
ତଥାପି ମାନବ ମାୟାଜାଲେ ପଡି
ଅମରତ୍ବ ଇଚ୍ଛେ ଆହା ।
କର୍ମମୟ ଏହି ଜୀବନରେ ମୃତ୍ୟୁ
ଟାଣେ ପୂର୍ଣ୍ଣଛେଦ ଗାର
ସୁକର୍ମ,କୁକର୍ମ ଘେନି ପୁନର୍ଜନ୍ମ
ହେଉଥାଏ ବାରମ୍ବାର ।
ସ୍ୱୟଂ ଜଗନ୍ନାଥ ମର୍ତ୍ତ୍ୟ ବୈକୁଣ୍ଠରେ
ଛାଡି ନିଜ କଳେବର
ଚେତେଇ ଦିଅନ୍ତି ସାରା ସଂସାରକୁ
ମୃତ୍ୟୁ ଏଠି ଧ୍ରୁବ ସାର ।
ଆସିଲା ବେଳରେ ହସ୍ତ ଥିଲା ଶୂନ୍ୟ
ଯିବା ବେଳେ ଥିବ ଶୂନ୍ୟ ;
ଗୋବିନ୍ଦ ସେବାରେ ନିଜ ଜୀବନକୁ
କରୁଥାଅ ସଦା ଧନ୍ୟ ।
ସଦଗୁରୁ ସେବା କର ହେ, ମାନବ !
ଜାଣିବ ମୃତ୍ୟୁ ରହସ୍ୟ
ସେ ରହସ୍ୟ ଜାଣି ଗୁରୁ ଆଶୀର୍ବାଦେ
ବୈକୁଣ୍ଠେ କରିବ ବାସ ।