ମୋତେ ଗାଇ ଆସେନା ଗୀତ
ମୋତେ ଗାଇ ଆସେନା ଗୀତ
ମୋତେ ଗାଇ ଆସେନା ଗୀତ
କହି ଏଡି଼ ଦେଇ ଯାଇ ପାରେ ଜଣେ ହୁଏତ
ବୁଝାଇ ବି ଦେଇ ପାରେ ସରଳେ ସହଜେ
ନାହିଁ ମୋର ଗଳାରେ ସୁମଧୁର କଣ୍ଠସ୍ୱର
ଶବ୍ଦ ପଦକୁ କରି ପାରେନି ଯତିପାତ
ବାଜା ବାଜେଣୀର ରାଗ ରାଗିଣୀ ହୁଏ ଝଙ୍କୃତ
କରି ପାରେନା ମୁଁ ତାକୁ ଅନୁସରଣ
ଛନ୍ଦ ତାଳ ଲୟ ମଧ୍ୟେ ରହେନି ସାମଞ୍ଜସ୍ୟ
ଶ୍ରୁତି କଟୁ ହୁଏ ଅମୀୟ ପଦ ଲାଳିତ୍ୟ
ମୋତେ ଗାଇ ଆସେନା ଗୀତ
ନୃତ୍ୟ ଗୀତ ବାଦ୍ୟର ତ୍ରିଧାରା ହେଲେ ମିଳିତ
ସୃଷ୍ଟି ହୁଏ ମଧୁର ହୃଦୟସ୍ପର୍ଶୀ ସଂଗୀତ
ତା' ସ୍ଵର ଝଙ୍କାରରେ ମନ ହୁଏ ଆକର୍ଷିତ
ପ୍ରାଣର ପୁଲକେ ପୁଲକେ ହୁଏ ସ୍ପନ୍ଦିତ
ହୃଦୟର ଭାବ ଭାବନାରେ ହୁଏ ଗୁଞ୍ଜରିତ
ଆବେଗ ପ୍ରବଣ ହୁଏ ଇଚ୍ଛାଶକ୍ତି ଆସେ ଆଗ୍ରହ
ଗୁଣୁ ଗୁଣୁ ଗାଇ ଯାଏ ସେ ସ୍ବତଃ ପ୍ରବୃତ୍ତ
ମୋତେ ଗାଇ ଆସେନା ଗୀତ
ମନୋଭାବ ଆଶା ଉଦ୍ଦୀପନା ଥାଏ ଅବଦମିତ
ପ୍ରକାଶ ବିକାଶରେ ହୁଏ ତାର ବ୍ୟତିକ୍ରମ
ବାସ୍ତବତାରେ ତା' କରି ପାରେନା ସମନ୍ଵୀତ
ପ୍ରଚେଷ୍ଟା ଉଦ୍ୟମ ଜାରି ଥିବା ସତ୍ତ୍ବେ ବି
ସଠିକ୍ ଭାବରେ ନ ହେଲେ ଫଳପ୍ରଦ
କମିଯାଏ ନିଜର ଉତ୍ସାହ ମନ ହୁଏ ସଂକୁଚିତ
ଆସେ ବିରକ୍ତି ଭାବ ହୁଏ ଅନିୟନ୍ତ୍ରିତ
ମୋତେ ଗାଇ ଆସେନା ଗୀତ
କହି ଏଡି଼ ଦେଇ ଯାଇ ହୁଏନା ଜୀବନର ଗୀତକୁ
ନିଜର ସ୍ଥିତି ଗତି ପ୍ରଗତି ଅଗ୍ରଗତି ଲାଗି ତ
ଗାଇବାକୁ ହୁଏ ଛନ୍ଦେ ଛନ୍ଦେ ଅବିରତ
ଗୀତିକାରର ଗୀତ ପରି ଜୀବନ ବି ଏକ ଗୀତ
ସ୍ଵୟଂ ପରଂବ୍ରହ୍ମ ମହାପ୍ରଭୁ ଏ ଗୀତର ରଚୟିତା
ସଭିଏଁ ତ ଜୀବନ ଗୀତର ଗାୟକ/ଗାୟିକା
ନିଜ ସ୍ଵର ସଂଯୋଜନାରେ ଗାଇ ଥାଆନ୍ତି
ବିଧାତାଙ୍କର ନିର୍ଦ୍ଦେଶରେ ହୋଇ ଅନୁପ୍ରେରିତ
ଛନ୍ଦ ତାଳ ଲୟରେ ଆଣି ପାରିଲେ ତାର ଏକତ୍ଵ
ଜୀବନ ଗୀତ ସରସ ସୁନ୍ଦରରେ ହୁଏ ଝଙ୍କୃତ
ମନରେ ଆସେ ନାହିଁ ତିକ୍ତଭାବ କହେ ନା ସେ
ମୋତେ ଗାଇ ଆସେନା ଗୀତ ।
