ମୋତେ ଛାଡ଼ି ରଥେ ନଯିବୁ କାହିଁ
ମୋତେ ଛାଡ଼ି ରଥେ ନଯିବୁ କାହିଁ


କରୁଣା କର ହେ, କରୁଣା ସାଗର,
କରୁଣେ ଚରଣେ କରେ ଗୁହାରି,
ବାରଣେ ଶରଣ, କୁହ କି କାରଣ,
ମରଣେ କି ମଣ ମୋକ୍ଷ ମୋହରି ।
ଜଞ୍ଜାଳ ଜାଳିଲି, କାମନା କିଳିଲି,
ଯନ୍ତ୍ରଣାକୁ ମନ୍ତ୍ରେ ଭେଦିଲି ଦେହେ,
ବୁଝି ମୁଁ ବୁଝାଏ, ତୋ ଭାବେ ଲୋଭାଏ,
ପରମ ଆନନ୍ଦ ପାଏ ତୋ ମୋହେ ।
ତୋ ମୋହେ ମୋହିତ, ଏତେ ଯେ ମୁଁ ନାଥ,
କ୍ଷଣେ ତୋ ବିରହ ମଣେ ମୁଁ ମୃତ,
ତୋ ବିରହ ଚିନ୍ତା, ତୋ ଅତୀତ କଥା,
ଆସି ମୋ ମନକୁ ନକରୁ ତିକ୍ତ ।
ଏବେ ବି ବିଷାଦେ, ନନ୍ଦ ଓ ଯଶୋଦେ,
ବୃନ୍ଦାବନ ଆଉ ବର୍ଷାନା ବାସୀ,
କେତେ ଭାବ ପ୍ରୀତି, କ୍ଷଣେ ହେଲା ସ୍ମୃତି,
ରଥେ ନେଲା ଯେବେ ଅକ୍ରୁର ଆସି ।
ରଥ ମୋ ବ୍ୟଥାର, &nbs
p; କାରଣ ସେ ଦିନୁ
ନିର୍ଦ୍ଦୋଷ ଅକ୍ରୁର ପ୍ରତି ମୋ ଘୃଣା,
କଂସ ମରି ସିନା, ପୃଥୀ ହେଲା ଶାନ୍ତ,
ବିରହେ ମିଳିଲା ପ୍ରେମ ପାଉଣା ।
ରଥେ ବସିଗଲା, ଆଉ ନଫେରିଲା,
ସେ କଥା ଏବେ ବି ଯାଇନି ମନୁ,
ପୁଣି ତୁ ରଥରେ, ଯାଇଛୁ ଏବେ ରେ,
ଆଶଙ୍କା ଓ ଭୟେ ତୋ ଯିବା ଦିନୁ ।
ସାତ ଦିନ ହେଲା ଗଲୁଣିରେ ଧନ,
ତୋ ଆସିବା ବାଟ ରହିଛି ଚାହିଁ,
ସାପ କାମୁଡେ ଯା, ପୁଅକୁ ତା ବାପା,
ପାଳ ଦଉଡ଼ିକୁ ଦେଖି ଡରଇ ।
ମୋ ଜୀବନ ପ୍ରତି, ଥିଲେ ତୋର ପ୍ରୀତି,
ଆସିଲେ ଶପଥ ନେବୁ କହ୍ନେଇ,
ରଥେ ଯିବୁ ଯେବେ କୁଆଡ଼େ ତୁ କେବେ,
ଏକା ତୁ ନଯିବୁ ମୋତେ ନ ନେଇ ।