STORYMIRROR

Dharitri Das

Classics

4  

Dharitri Das

Classics

ମୋହିନୀ ରୂପ

ମୋହିନୀ ରୂପ

1 min
281


ଯୁଗେ ଯୁଗେ ମାୟାଧର ମାୟାରେ ତୋହର

ଭ୍ରମାଉ ଥାଉ ତୁହି ଏହି ସାରା ସଂସାର।

ଦେବ ଦାନବ ଯେ କ୍ଷୀର ସାଗରକୁ ମନ୍ଥି 

ଅମୃତ ସନ୍ଧାନ କରିବାରେ ଦେଲେ ମତି।

ନାନା ଦ୍ରବ୍ୟ ସହ ମିଳିଲା ଅମୃତ ଯେବେ

ଦେବ ଦାନବେ କଳି ଲାଗିଲାଟି ତେବେ।

ଏକଥା ଦେଖି ମାୟାଧର ରଚିଲ ମାୟା

ମୋହିନୀ ରୁପରେ ମୋହି ଦାନବଙ୍କ କାୟା।

ବୋଇଲ କିମ୍ପାଇଁ କରୁଅଛ ତୁମ୍ଭେ କଳି

ବାଣ୍ଟିଦେବି ମୁହିଁ ବସ ସର୍ବେ ହୋଇ ମେଳି।

ରୂପେ ବିମୋହିତ ହୋଇଲେ ରାକ୍ଷସ ଗଣେ

ଦୁଇଧାଡ଼ିରେ ବସିଲେ ହରଷିତ ମନେ।

ମୋହିନୀ ବାଣ୍ଟିଲେ ଅମୃତ କପଟ କରି

ଏକଥା ଜାଣି ରାହୁ ଦେବତା ରୂପଧରି।

ଦେବଗଣ ମଧ୍ୟେ ବସି କଲେ ଅମୃତ ପାନ

ଜାଣିପାରି ଚନ୍ଦ୍ର ସୂର୍ଯ୍ୟ ଜଣାଇଲେ ଯହୁଁ

ସୁଦର୍ଶନେ ପ୍ରଭୁ ଶିର ଯେ ଛେଦିଲେ ତହୁଁ।

ସେହିଦିନୁ ରାହୁ ମୁଣ୍ଡ ଅମର ହୋଇଲା

ଦେବତାଙ୍କ ଅମରତ୍ଵ ବଜାୟ ରହିଲା।

ଘୋର ତପସ୍ୟାରେ ତୁଷ୍ଟ କରି ଭସ୍ମାସୁର

ଶିବଙ୍କଠାରୁ ପାଇଥିଲେ ନିଷ୍ଠୁର ବର।

ଯାହା ମଥା ପରେ ହସ୍ତକୁ ରଖିବେ ସେହି

ଭସ୍ମ ହେବ ନିଶ୍ଚେ ଏକଥା ଅନ୍ୟଥା ନୋହି।

ବରକୁ ପରୀକ୍ଷା କରିବାକୁ ଭସ୍ମାସୁର

ଶିବଙ୍କ ପଛେ ଧାଇଁଲେ ଛୁଇଁବାକୁ ଶିର।

ଏହା ଦେଖି ନାରାୟଣ ପାଞ୍ଚିଲେ ମନରେ

ଭସ୍ମାସୁରକୁ ମୋହିଲେ ମୋହିନୀ ରୂପରେ।

ଅଙ୍ଗ ଭଙ୍ଗୀ ଛଳେ ହସ୍ତ ଦେଇ ମସ୍ତକରେ

ହରବରେ ପରିଣତ ହେଲେ ଯେ ଭସ୍ମରେ ।

ସେହି ମାୟାଧରଙ୍କ ପୟରେ ମଥାନତେ

ପ୍ରଣିପାତ କରୁଛି ଦାସ ଭକତି ଚିତ୍ତେ।



Rate this content
Log in

Similar oriya poem from Classics