ମୋ ସ୍କୁଲ
ମୋ ସ୍କୁଲ
ଯେବେ ମୁଁ ଦେଖେ ଛୋଟ ପିଲାଟେ
ବସ୍ତାନି ଧରି ସ୍କୁଲ ବାହାରେ
ମନେପଡେ ମୋ ସ୍କୁଲ
ଆଜିର ପିଲେ ଗାଡି ମୋଟରେ
ବଡ଼ଙ୍କ ସଙ୍ଗେ ସାଇକଲରେ
ଯାଇ ଥାଆନ୍ତି ସ୍କୁଲ
ଆମ ସମୟ ଏମିତି ଥିଲା
ଡର ବା ଭୟ ତିଳେ ନ ଥିଲା
ଯେବେ ମୁଁ ଗଲି ସ୍କୁଲ
ସ୍କୁଲ ବେଳକୁ ସାଙ୍ଗ ସରିସା
ଆସି ଜୁଟନ୍ତି ସାଇ ପଡିଶା
ଯିବା ପାଇଁ କି ସ୍କୁଲ
ସାଙ୍ଗ ସାଥିରେ ଚାଲି ଚାଲିକା
ମେଳ ମଉଜେ ହସି ଖେଳିକା
ଯାଉ ଆମେଟି ସ୍କୁଲ
ନିଜକୁ ନିଜେ ତିଆରି ହୋଇ
ମା ବାଢିଲେ ଖୁସିରେ ଖାଇ
ବାହାରୁ ଥିଲି ସ୍କୁଲ
ଗୁରୁଙ୍କ ଠାରୁ ଯାହା ଶିଖିଲି
ଯାହା ପଢ଼ିଲି , ଯାହା ବୁଝିଲି
ଶ୍ରେଣୀ ଗୃହରେ ମୁହିଁ
ମନ
ରେ ରଖେ ଯାହାବି ଶିଖେ
ଗୁରୁଙ୍କ ଠାରେ ଭକତି ରଖେ
ଗୁରୁ ଠୁ ବଡ ନାହିଁ
ସପ୍ତାହେ ଥରେ ସ୍କୁଲ ସଭାରେ
ଗୀତ ଆବୃତ୍ତି ପିଲାଙ୍କ କୃତି
ଦେଖନ୍ତି ସାରା ସ୍କୁଲ
ଖେଳ ଛୁଟିରେ ଖେଳ ଟା ଜମେ
ଚିତ୍ର ଅଙ୍କନ ବଗିଚା କାମେ
ମଉଜେ ମସଗୁଲ
ବୋଝଟେ ପାଠ ସେବେ ନ ଥିଲା
ଟ୍ୟୁସନ ହେବା ଜମ୍ମା ନ ଥିଲା
ଯେବେଠୁ ଗଲି ସ୍କୁଲ
ପାଠ ଭୟରେ ଲୁଚି ବସିବା
ଉତ୍ତର ବହି କିଣି ଆଣିବା
ନ ଥିଲା ବିଲକୁଲ
ପାଠ ପଢି ମୁଁ ମଣିଷ ହେଲି
ଅଂକୁର ଠାରୁ ଦ୍ରୁମଟେ ହେଲି
ଗୁରୁ ଆଶିଷ ବଳେ
ମୋ ପିଲାଦିନ ସାଇତା କଥା
ସ୍କୁଲ ବେଳର ଅଭୁଲା କଥା
ମନକୁ ଆସେ ବଳେ ।
© ଡ ବିଦ୍ୟୁତପ୍ରଭା ଗନ୍ତାୟତ