ମୋ ପ୍ରିୟମିତ୍ର
ମୋ ପ୍ରିୟମିତ୍ର
କେତେ ଯେ ଛୋଟ ଏହି ଜୀବନ,
ଆସନ୍ତି ପୁଣି କେତେ ଯେ ବନ୍ଧନ,
ସାଙ୍ଗମାନଙ୍କ ସସ୍ନେହ ଏକ ଇନ୍ଧନ,
ପ୍ରିୟମିତ୍ରର ଥାଏ ଯେ ନିଆରା ସ୍ଥାନ |୧|
ନିଜର ଭିନ୍ନ ଅଭିନ୍ନ କଥା ଶୁଣିବାର ରଖନ୍ତି କ୍ଷମତା,
ପ୍ରତି ସମସ୍ୟାର ସମାଧାନ ଦେବାର ରଖନ୍ତି ଦକ୍ଷତା,
କଷ୍ଟ ନଷ୍ଟ ସମୟରେ ସର୍ବପ୍ରଥମେ ଦିଅନ୍ତି ଧୀରତା,
ଦୁଃଖ ସୁଖ ଅନୁଭବ ଆଦାନପ୍ରଦାନରେ ଦିଅନ୍ତି ପୂର୍ଣ୍ଣତା |୨|
ପ୍ରିୟମିତ୍ର ଦେଇ ପାରେ ନିଜ ଅମୂଲ୍ୟ ସ୍ନିଗ୍ଧ କ୍ଷଣ,
ଚିତ୍ତ ସଦା ଆଶା ଆଶ୍ଵାସନ ପାଏ କରି ସମ୍ଭାଷଣ,
ପାର୍ଥସାରଥୀ ହୋଇ ଯେ ଦେଇ ପାରେ ସୁଲକ୍ଷଣ,
ଏମିତି ପ୍ରିୟମିତ୍ର ସର୍ବଦା ଦେବ ବିଲକ୍ଷଣ ବିଚକ୍ଷଣ |୩|
ସାଙ୍ଗ ହେଲା ନିଜ ପ୍ରତିବିମ୍ବ ପ୍ରତିରୂପ,
ଏହି ଅନୁବନ୍ଧ ଯେ ଅତ୍ୟନ୍ତ ଅପରୂପ,
ନିଜ ପିଲାଦିନ ବେଳର ସୌମ୍ୟ ସ୍ୱରୂପ,
ପୁରୁଣା ହୋଉ ହୋଉ ଅତିପ୍ରିୟ ଏହି ରୂପ |୪|
