ମୋ ପ୍ରିୟାଠାରୁ କିଏ
ମୋ ପ୍ରିୟାଠାରୁ କିଏ
ମଉସୁମୀ ମେଘକୁ ଦେଖିଲେ
ମନେ ମୋର ବିଜୁଳି ଚମକି ଯାଏ,
ମନେ ପଡିଯାଏ ପ୍ରିୟତମାର ମୁକୁଳା
କଳା କୁନ୍ତଳ ମେଖଳା ।
ଚମ୍ପକ ଫୁଙ୍ଗୁଳା ପିଠିରେ ତାର,
କଳା ବାଦଲର ଲହଡି ଖେଳେ
ଘନ ନୀଳ ଆକାଶରେ
ପ୍ରିୟା ନୟନର କଜଳର କଳା ।
ପବନରେ ଉଡି ଉଡି ଯାଏ,
କେରା କେରା କେଶ ସଙ୍ଗେ,
ମଉଜରେ ଖେଳ ଖେଳି ଯାଏ,
ମେଘ ତୁମେ କେତେ ଦୂରେ
ଦିଶ ଖାଲି ଆଶାଢ ଶ୍ରାବଣରେ,
ମୋ ପ୍ରିୟର କଳା ମେଘି କୁନ୍ତଳ
ସତେ କେତେ ନିକଟରେ ।
ଜହ୍ନକୁ ଦେଖିଲେ, ମନ କେବେ
ଆନମନା ହୋଇଯାଏ,
ପ୍ରିୟରେ ଜହ୍ନକୁ ଦେଖେ,
କେବେ ପୁଣି
ଜହ୍ନରେ ପ୍ରିୟାକୁ ଖୋଜୁଥାଏ ।
ଜହ୍ନ ଠାରୁ ମୋ ପ୍ରିୟା ସୁନ୍ଦର
ଅତି ଆପଣାର,
ଜହ୍ନ କାହିଁ କେତେ ଦୁରେ,
ଆଖି ପାଏନାହିଁ, ହେଲେ
ମୋ ପ୍ରିୟା ସବୁବେଳେ,
ମୋ ମନେ ମୋ ହୃଦୟରେ ଥାଏ ।
ଗୋଲାପ ଦେଖିଲେ କେବେ
ମୋ ପିୟାର ଗୋଲାପି ଗୋଲାପି
ମିଠା ମିଠା ଅଧର ମନେ ପଡିଯାଏ ।
ସବୁଜ ପତ୍ରର ଶାଢିରେ ସଜାଇ
କଣ୍ଟକିତ ଡେମ୍ଫରେ
ଗୋଲାପ ତୁ ହସିଦେଉ ସିନା,
ହେଲେ ମୋ ପ୍ରିୟା ହସିଦେଲେ ଥରେ,
ଲକ୍ଷ ଗୋଲାପ ଲାଜେଇ ଯାଏ,
ଟପ୍ ଟପ୍ ଝରିପଡେ ଯେବେ,
ତା ଅଧରରୁ ସେ ମଧୁର ବିନ୍ଦୁୁ ।
ଗୋଲାପ ତୁ ଝାଉଳି ଯିବୁ ସିନା,
ରଞ୍ଜ ରଞ୍ଜ ସଂଜ ପହରରେ,
ମୋ ପ୍ରିୟାର ଗୋଲାପି ଅଧରେ କିନ୍ତୁ
ହସ ଉଙ୍କି ମାରୁଥିବ,
ପ୍ରତି କ୍ଷଣ ପ୍ରତି ମୁହୂର୍ତ୍ତରେ ।