ମୋ ପେଏଁକାଳି ବଜେଇଦେ
ମୋ ପେଏଁକାଳି ବଜେଇଦେ
ଉଦୁଉଦୁମା ତାଳଗୋଟମା
ଡେଙ୍ଗା ଡେଙ୍ଗା ତାଳଗଛ
ଲାଗେ ତାଳପିଠା ଭାରି ମିଠାମିଠା
କଅଁଳିଆ ତାଳସଜ ।
ଘରବାଡି ଚାଷ କଦଳୀ ପଣସ
ପିଜୁଳି କମଳା ଲେମ୍ବୁ
ଲାଗେ ଚଟପଟ କଇଁଆ ତେନ୍ତୁଳି
ବରକୋଳି କଷାଜାମୁ ।
ଦୁମୁଦୁମୁ ଖରା ଦିନ ଦିପହରେ
ପାଚିଲା ବେଲର ପଣା
ବାଡି ତରବୁଜ କଷି କାକୁଡିରେ
ଲୁଣ ଲଙ୍କା ଗୁଣ୍ଡ ମଜା ।
ସୁନ୍ଦରୀ ନାକେଇ କିସମ କିସମ
ବଡ଼ ସୁଆଦିଆ ଆମ୍ବ
ତୋଟା ଗହଳରୁ ତୋଳିଲେ ପାଚିଲା
ପାଟିରୁ ଗଡଇ ଲାଳ ।
ପାଣି ଡ଼ବଡ଼ବ ସବୁଜ ପଇଡ଼
ଅଟେ ବଡ଼ ହିତକାରୀ
ଶ୍ରୀଫଳ ନଡିଆ ସବୁଠୁ ବଢିଆ
କିଏ ତାକୁ ହେବ ସରି ।
ନଡିଆର କୋରା ଜାତିଜାତି ପିଠା
ଲାଗେ ଭାରି ସୁଆଦିଆ
ଗରମ ମୁଢିକୁ ଝାଆଲ ମସଲା
ବାଗ ବି ଖଣ୍ଡ ନଡିଆ ।
ନଡିଆ ବାଉଙ୍ଗା ଉଞ୍ଛିଲେ ପତର
ଖରିକା ମାର୍ଜନୀ କଞ୍ଚି
ନଡିଆର କତା ବଳିଲେ ଦଉଡି
ଘର ଚିଜ ଜାତିଜାତି ।
ମୋ ବାଡି ଅଗଣା ସରଗ ଦୁଆର
ମୋ ଘର ସୋହାଗ ଶିରୀ
ଦଉଡୁଛୁ ଆମେ ଆଗକୁ ପଛକୁ
ସୁଖ ଶୁଭବେଳା ଛାଡି ।
ଆମ ପିଲାଦିନ ମାଟି କାଞ୍ଚିଖୁରୀ
ଫଳଫୁଲ ହାତୀଘୋଡା
ନଡିଆ ପତର ମୋ ପେଏଁକାଳି
ବଜେଇଦେ ଜଗାରାଜା ।
