ମୋ ଓଡ଼ିଶା
ମୋ ଓଡ଼ିଶା
କି ସୁନ୍ଦର ସେଇ ସବୁଜ ବଣ ପାହାଡ଼
ନଈ ନାଲ ଝରଣା
କ୍ଷେତ ଖଲା
ଆଖି ଆଗେ ନାଚିଉଠେ
ବଉଲ ଭର୍ତ୍ତି ଆମ୍ବ ତୋଟା
ମତୁଆଲା କରେ ଯେଉଁଠି
ବସନ୍ତର ମହୁଲି ନିଶା
ସେଇ ତ ମୋ ଓଡ଼ିଶା ।
ବାରମାସରେ ତେର ପର୍ବ
କେତେ ଗହଗହ ମହମହ
ଲାଗେ ଏଇ ମାଟି ଘର ଦୁଆର
ଓଡିଶୀ ଘୁମୁରା ଡାଲଖାଇ ରଙ୍ଗବତୀରେ
ନାଚିଉଠେ ମନ
ଝରୁଥାଏ ସଦା ଯେଉଁଠି
ଏକତାର ମଧୁଭାଷା
ସେଇତ ମୋ ଓଡ଼ିଶା ।
ସେଇ ଭଗ୍ନ ବାରବାଟୀ
ହାତୀଗୁମ୍ଫା ରାଣୀଗୁମ୍ଫା
ରତ୍ନଗିରି ଉଦୟଗିରି
କହେ ସାକ୍ଷୀ ହୋଇ ଅତୀତର କଥା
ସେଇ ଚନ୍ଦ୍ରଭାଗା ଦୟା ନଦୀ
ଗୁଡହାଣ୍ଡି କୋଣାର୍କ ଦେହରେ
ଓଡ଼ିଆ ଜାତିର ଲେଖା
କେତେ ଦେଉଳ ମନ୍ଦିର
ହସୁଥାଏ ଯେଉଁଠି
କଳା ଓ କିର୍ତ୍ତିର ଅଭୁଲା ଗାଥା
ସେଇତ ମୋ ଓଡ଼ିଶା ।
କେତେ କବି
କେତେ ମହାପୁରୁଷ
ରଖିଯାଇଛନ୍ତି ଏ ମାଟିର ଟେକ
ଓଡ଼ିଆ ଜାତିର ଗର୍ବ ଓ ଗୌରବ
କେତେ ପରମ୍ପରା
ଧର୍ମ ଓ ବିଶ୍ବାସର ପବିତ୍ର ସଂପର୍କ
ପରସ୍ପର ସ୍ନେହ ପ୍ରେମ ଖୁସିର ସମ୍ଭାର
ଶୋଭାପାଏ ଯେଉଁଠି
ମହାନ ସଂସ୍କୃତିର ବେଶଭୂଷା
ସେଇତ ମୋ ଓଡ଼ିଶା ।