ମୋ ନିଜସ୍ଵ ପୃଥିବୀ
ମୋ ନିଜସ୍ଵ ପୃଥିବୀ
ମୋତେ ଭଲଲାଗେ ମାପିବାକୁ,
ମୋ ନିଜସ୍ଵ ପୃଥିବୀ ର ପରିସୀମା।
ଯେଉଁଠି ଥାଏ ଚିହ୍ନା ମାଟି ର ମହୁଆ ବାସ୍ନା,ଓ
ପରିଚିତ ମଳୟର ମିଠା ଛୁଆଁ
ସବୁ କିଛି ମୋ ନିଜର ଯେଉଁଠି !
ଯେଉଁଠି ନଥାଏ,
ସଂକୋଚ ର ପରିଧି ରେ ସାଂକୁଡ଼ି ଯିବାର ବିବଶତା,
ଅବା ସଂପର୍କରେ ଅନାତ୍ମୀୟତାର ଜ୍ୱାଳା।
ମୁଁ ଭଲପାଏ ସେଇ ମୋର ପ୍ରୃଥିବୀକୁ
ଯେଉଁଠି, ଝରା ଫଗୁଣ ଓ ଚୋରା ଚଇତି,
ଆଷାଢ଼ ର ବର୍ଷା ଓ ବୈଶାଖ ର ତାତି,
ପଉଷ ର କଅଁଳ ଖରା ଓ ମାଘ ର ଜାଡ଼,
ସବୁ କିଛି ମୋ ନିଜର ଅତି ଆପଣାର।
ଫଗୁଣ ଯେଉଁଠି ପୁଲକିତ କରେ
ଆପଣାଛାଏଁ ଅନ୍ତରାତ୍ମା କୁ,
ରୁଦ୍ର ବୈଶାଖ ଯେଉଁଠି
ବିଂଚିଦିଏ ଆମ୍ବ କଷି ଓ ସୁଗନ୍ଧିତ ବଉଳ,
ଶିଶିର ବିନ୍ଦୁରେ ଯେଉଁଠି
ରୋମାଂଚିତ ହୁଏ ହ୍ରୃଦୟ
ଭାବନାର ଅନା ବନା ଖିଅରେ।
ମୁଁ ଭଲପାଏ ସେଇ ମୋର ପୃଥିବୀକୁ
ଯାହା ଉପରେ ମୁଁ ଲଦି ଦେଇ ପାରେ
ଅନାୟାସରେ,
ମୋର ସମଗ୍ର ଆୟୁଷ ର ପୁଂଜିଭୁତ ଆତ୍ମୀୟତାକୁ।
ମୁଁ ଭଲପାଏ ସେଇ ମୋର ନିଜସ୍ବ ପୃଥିବୀକୁ
ସେଇ ମୋର ନିଜସ୍ବ ପୃଥିବୀକୁ.......!