ସ୍ରୃଷ୍ଟି ହୋଇ ପାରେ ନାହିଁ ଛଳ ଛଳ କବିତା ଟିଏ
ସ୍ରୃଷ୍ଟି ହୋଇ ପାରେ ନାହିଁ ଛଳ ଛଳ କବିତା ଟିଏ
ଜୀବନ ଟା ଏକ ଅଧାଲେଖା କବିତା !
ଶୈଶବ ରୁ ଏ ଯାବତ୍ ମସ୍ତିଷ୍କ କୁ
ଆବୋରି ବସିଥିବା ସ୍ୱପ୍ନ ମାନେ
ବାରମ୍ବାର ଆସନ୍ତି,
ଆଷାଢ଼ ଆକାଶ ରେ
ମେଘ ଓ ଜହ୍ନ ର ଏଇ ଅଛି , ଏଇନାହିଁ
ଖେଳ ପରି ।
ମୁହୂର୍ତ୍ତ ମୁହୂର୍ତ୍ତ ଗଣି
ନୀରବ ପ୍ରତୀକ୍ଷା କରିବା ପରେ
ଭୁଲି ହୋଇଯାଇଥିବା ସ୍ୱପ୍ନ ଭିତରୁ
କାଁ ଭାଁ ଗୋଟେ ଅଧେ ସାକାର ହେଲେ
ଯାଏ ଆସେ କେତେ ?
ପ୍ରାଣର ପ୍ରତିଟି ତନ୍ତ୍ରୀରେ ସାଇତା ଅଗଣିତ ସ୍ୱପ୍ନର
ହିସାବ ଅବା ରଖୁଛି କିଏ ?
ରାତି ପାହିଯାଏ ,
ସ୍ୱପ୍ନ ସବୁ ଅଧାରେ ହିଁ ରହିଯାଏ ।
ଏମିତି ତ ଲେଖା ହୁଏ କବିତା !
ଜୀବନ ର ଫର୍ଦ ଫର୍ଦ କାଗଜ
ଚିରା ହୋଇ ସାରିବା ପରେ ବି
ଲେଖି ହୁଏ ନାହିଁ ଛଳ ଛଳ କବିତା ଟିଏ ।
ବାକି ରହିଯାଏ କିଛି ନା କିଛି, ହୁଏତ
ଏକ ଚାପା ଦୀର୍ଘ ଶ୍ୱାସ ର ସ୍ୱର
ଅବା ହସର ତରଳ ଲହରୀ ଟିଏ.......।