STORYMIRROR

Abhakanta None

Tragedy Others

2  

Abhakanta None

Tragedy Others

ମୋ ମ୍ଳାନ ମୁହୂର୍ତ୍ତର ମୂଲ୍ୟାଙ୍କନ

ମୋ ମ୍ଳାନ ମୁହୂର୍ତ୍ତର ମୂଲ୍ୟାଙ୍କନ

2 mins
13.7K


ହେ ମୋ ପ୍ରାଣପ୍ରିୟା ! ମୋତେ ଏକା ଛାଡି ଚାଲିଗଲ ତୁମେ କାହିଁରେ

ମୋର ହୃଦୟରେ ତୁମ ସ୍ଥାନ ନେବ ନାହିଁତ କେହି ଏ ମହୀରେ

ମୃତ୍ୟୁମୁଖି ଏଇ ଜୀବନ ଭିତରେ

ଯଦି କେହି କେବେ ଆସିବ ସତରେ

ତା ହୋଇବ ଏକ ନୂତନ ପରିଧି ନୂତନ ଅବଧି, ନବ ଗତି ବିଧି

ବଞ୍ଚିବାର ମୋହେ ସ୍ବାକ୍ଷରିତ ସନ୍ଧି

ଅନ୍ତତଃପକ୍ଷରେ ଆମୃତ୍ୟୁ କାହାକୁ

ହୃଦୟର ବ୍ୟଥା ପାରିବି ତ ଟିକେ କହିରେ

ଭୁଲ ବୁଝିବନି ସହୀରେ ।

ମାଟି ମଣିଷ ମୁଁ ହାଡ଼ମାଂସଧରା ଦେହସାରା ବିଛା ରୋଗର ପସରା

ଅବିଶ୍ବାସନୀୟ ଯନ୍ତ୍ରଣାର ଧାରା ଚାହିଁବ ଗୋ ଅବିଚ୍ଛିନ୍ନର ଆଶରା

ବେଳ ଅବେଳରେ ଝରୁଥିବ ସିନା

କା ହୃଦୟୁ ମୋର ଦୀର୍ଘାୟୁ କାମନା

ପଢେ ସମ୍ବନ୍ଧର ପ୍ରତିପୃଷ୍ଟା ଖୋଲି ଶେଷ ଶ୍ବାସ ଯାଏ ପାରିବ ଯେ ଚାଲି

ନିକିମାପଣର ଅନୁଚ୍ଛେଦ ଖୋଲି

ତାହାସିନା ସଖୀ ସମ୍ଭବ ହେବ ଗୋ

ପରିପୁରକରେ ଏକପଥେ ହେଲେ ରାହୀ ରେ

ଏକ ନାଆ ନେଲେ ବାହି ରେ

ଭୁଲ ବୁଝିବନି ସହୀ ରେ ।

ଏବେ ଦିଶାମୋଡା ହୋଇଲାଣି ରଥ ଫେରି ଛୁଇଁବାକୁ ମୋ ବାରୁଣାବନ୍ତ

ଏକା ଚାଲିବାରେ ହୋଇଲେ ନୟାନ୍ତ କିଆଁ ଶୁଣିଯିବି କାର ମିଛ ସତ

ନାହିଁତ ସେଦିନ ମନ ଆକାଙ୍କ୍ଷିତ

ଅସ୍ତପଥେ କିଆଁ ରହିବି ଗୋ ତ୍ରସ୍ତ

ବାଣ୍ଟିତ ପାରିବି କା'ରେ ହୃଦବ୍ୟଥା ଶୁଣିତ ପାରିବି କାର ହୃଦ କଥା

ଗୁମୁରି ରହୁ ଗୋ ହୃଦୟର ଆସ୍ଥା

ତୁମେ କହିବଟି ଉଚିତ ହେବ କି

ଚୋରେ ମାନ କରି ଖପରାରେ ହେଲେ ଖାଇରେ

ଜୀବନକୁ ରଖି ହାଇ ରେ

ଭୁଲ ବୁଝିବନି ସହୀ ରେ ।

ଦୁନିଆ ଭିତରେ ଦଣ୍ଡ ପେଲୁ ପେଲୁ କେଉଁଠି ବନିଛି ଚଲାଖ କି ଓଲୁ

ପ୍ରତି ପଦଛନ୍ଦେ ସାକ୍ଷୀ ଥିଲ ତୁମେ ମୋର ସୁଖେ ଦୁଃଖେ ବାଟ ଚାଲୁ ଚାଲୁ

ଜୀବନଟା ସାରା ଥିଲି ପରାଧିନ

କେମିତି ଉଡିବି ଏବେ ପକ୍ଷହୀନ

ଜୀବନ ଦେହଳି କରିଗଲ ଖାଲି ଏବେ ପ୍ରତିଛତ୍ରେ ଅନ୍ଧାରର କାଳି

ଚିନ୍ତନକୁ ଦିଏ ତୁମ ଚିନ୍ତା ଜାଳି

ଚାଲିବା ବେଳରେ ଆଲୋକ ବର୍ତ୍ତିକା

ଧରି ଚାଲିବାରେ ଅଭ୍ୟାସଟା ମୋର ନାହିଁ ରେ

ସୁଯୋଗ ଦେଇନି ସହୀ ରେ

ଭୁଲ ବୁଝିବନି ସହୀ ରେ ।

ତଥାପିତ ମୋତେ ବଞ୍ଚିବାକୁ ହେବ ତୁମେ ଜାଣ ମୋର ବଞ୍ଚିବା ବିଭାବ

ପ୍ରବଞ୍ଚନାହୀନ ବଞ୍ଚିବା ଆଜିରେ ସାଥୀବିନା ଭବେ ନୁହଁଇ ସମ୍ଭବ

ନିଧୁବନ ନିଶା ନାହିଁ ମନାଙ୍ଗନେ

ବାକି ଜୀବନ ବି ବଞ୍ଚୁ ଆଶ୍ବାସନେ

ଲେଖିବା ନିଶାଟା ବଞ୍ଚିଥାଉ ମୋର

ଶେଷ ଶ୍ବାସ ଯାଏ ଏ ଜିଦି ଜିଗର

ପ୍ରଥମ ଶ୍ରୋତାଗୋ ତୁମେ ଗଲ ଦୂର

କିଏ ଉଝାଳିବ ମୋ ଭାବ ଭାରତୀ

ସେଥିପାଇଁ ପ୍ରିୟେ ! ହା ହାକାର ଯାଏ ଛାଇ ରେ

ପାରିବ କି ଲେଖା ଜିଇଁ ରେ

ଭୁଲ ବୁଝିବନି ସହୀ ରେ ।

--କ୍ରମଶ...

{ମୋ ବାକିଆ ବଞ୍ଚିବା ବାଟର ଅନ୍ଧାରରେ ଆସିବାକୁଥିବା ଆଶଙ୍କାରେ ଆଭାର ଆତ୍ମାକୁ ସାଥିପଣ ଦ୍ବାହିରେ ଆବେଦନ }


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy