STORYMIRROR

Chinmaya Kumar Nayak

Abstract

4  

Chinmaya Kumar Nayak

Abstract

ମୋ ମାଟିର ବାସ୍ନା

ମୋ ମାଟିର ବାସ୍ନା

1 min
222

ଗ୍ରାମଦେବୀଙ୍କ ମନ୍ଦିରର ପତାକାର ଶିଖରକୁ ଛୁଇଁ

ମେଘ ଯେବେ ନଇଁ ଆସେ ନିରୁତା ଭକ୍ତିରେ

ପହିଲି ବର୍ଷାର ଛିଟା ଭିଜାଇ ଦେଇ ଯାଏ

ମୋ ଗାଁ ଦାଣ୍ଡର ନୁଖୁରା ଦେହକୁ

ବାରି ହୋଇଯାଏ ମୋ ମାଟିର ବାସ୍ନା। 


ସଜ ସଜ ପାହାନ୍ତି ସକାଳେ

ଶେଫାଳିର ଲାଜୁଆ ଖୋସାରୁ

ଝରିପଡେ ଯେବେ ଚୁନା ଚୁନା ତାରା ଫୁଲ

ତାକୁ ଆଶ୍ରୟ ଦେଇଥିବା ଭୂମି ଖଣ୍ଡକରେ

ମହ ମହ ବାସି ଉଠେ ମୋ ମାଟିର ବାସ୍ନା। 


ଚାଷୀର ଯେଉଁ ପୋତା ଧନ ଖଣି

ସେ ଚାରିକୋଣିଆ ଜମି ଖଣ୍ଡକକୁ

ଚଷିବାକୁ ଧରେ ଯେବେ ସେ ହାତରେ ଲଙ୍ଗଳ

ନିଗିଡ଼ି ପଡ଼େ ତା ଦେହୁ ବୁନ୍ଦା ବୁନ୍ଦା ଆଶାର କାକର

ସେ ଦର-ଚଷା ମଟାଳ ମାଟିରେ

ଉଡ଼ି ଆସେ ତାଳ ବଣ ଡେଇଁ ମୋ ମାଟିର ବାସ୍ନା। 


ପାଚି ଗଲେ ସୁନା ମଞ୍ଜି ସପନର ସବୁଜ କ୍ଷେତରେ

ଶରଧାରେ ତୋଳିଆଣି ରଖିଦିଏ ଚାଷୀ

ତା ଘରଣୀ ହାତରେ ଲିପା ଚିତା ଲେଖା ଲକ୍ଷ୍ମୀ ଖଳା ପରେ

ଅମଳ ସେ ଶସ୍ୟ ଦେଖି ଉର୍ଦ୍ଧ୍ୱକୁ ଅନାଏ

ଝରିପଡେ କୃତଜ୍ଞତାର ଦୁଇଧାର ଅଶ୍ରୁ

ଆତ୍ମହରା କରେ ତାକୁ ମୋ ମାଟିର ବାସ୍ନା। 


ଏଇ ଏଇ ଆସିଥିବା ନବବଧୂଟିଏ

ମୁଁହ ଅନ୍ଧାରୁ ଉଠି

କାଳେ କେହି ଦେଖିଦେବ ବୋଲି

ନଦୀରେ ଗାଧୋଇ ଫେରେ 

ଓଢ଼ଣୀରେ ଲୁଚି ଧୀରେ ଧୀରେ। 

ଭିଜା କାନିରୁ ତାର ଝରିପଡେ 

ଢଳ ଢଳ ଶଣ୍ଠଣାର ଜଳ ବୁନ୍ଦା ବୁନ୍ଦା

ଅଳତା ଲଗା ତା ସଜ ଗୋଲାପି ପାଦକୁ ଛୁଇଁ ମାଟିକୁ ଭିଜାଏ

ସେବେ ତୃପ୍ତିରେ ବିଭୋର କରେ ମୋ ମାଟିର ବାସ୍ନା। 


ଗୋଠ ଫେରନ୍ତା ଗାଇମାନେ ଯେବେ ହମ୍ୱା ରଡ଼ି ଦେଇ

ଧାଇଁ ଆସନ୍ତି ପେଟପୁରାଇ ଅତି ଆନନ୍ଦରେ

ସେ ଖୁରାର ଆଘାତେ ବୋଧେ ଶିହରି ଉଠଇ

ମୋ ଗାଁ ମାଟି ବାତ୍ସଲ୍ୟର ସମୃଦ୍ଧ ଭାବରେ। 

ପୁରି ଉଠେ ଦାଣ୍ଡ ବାରି ଯେବେ ଗୋଧୂଳିର ଧୂଳି ଆସ୍ତରଣେ

ସତେଜ କରିଦିଏ କ୍ଳାନ୍ତ ଦେହ ମନ 

ମୋ ମାଟିର ବାତ୍ସଲ୍ୟ ଭରା ବାସ୍ନା। 



Rate this content
Log in

Similar oriya poem from Abstract