ମୋ' ମାତୃଭାଷା ମୋ' ପାଇଁ ଶ୍ରେଷ୍ଠ
ମୋ' ମାତୃଭାଷା ମୋ' ପାଇଁ ଶ୍ରେଷ୍ଠ
ମୋ' ମାତୃଭାଷା ମଧୁଠୁ ବି ମିଠା
ତୁଣ୍ଡେ ବୋଳିଲେ ଲାଗଇ
ସ୍ବର୍ଗଠାରୁ ଗରୀୟସୀ ଯେଣୁ ମାଆ
ଓଠ ପରିଭାଷା ସେଇ
ମନୋବଳକୁ ବଢ଼ାଇ
ମୋ ଜୀବନ ସାଥେ ପ୍ରତିକ୍ଷଣ ସିଏ
ରହିଛି ସାଥୀଟେ ହୋଇ ।
ହୃଦୟରେ ତାକୁ ଭଲ ପାଇବାରେ
କେବେ ହେଳା କରିନାହିଁ
ପ୍ରତି ପଦକ୍ଷେପେ ଜୀବନ ନାବରେ
ତାକୁ ଆହୁଲା ସଜାଇ
ଚାଲୁଥିବି ମର୍ତ୍ତ୍ୟ ଭୂଇଁ
ଏହି ମୋ ଶପଥ ନିଜଠି ବିଶ୍ବାସ
ହୃଦୟ କଥା କହଇ ।
ମାତୃସ୍ଥାନୀୟା ଚିର ବନ୍ଦନୀୟା
ନମସ୍ୟା ମୋ' ଭାଷା ମାତା
ଓଠୁ ଝରୁଥିଲେ ଗରବ ମୋ ବଢେ
ସତେ କି ଜଗତ ଜିତା
ସେ ମୋ' ଭାଗବତ ଗୀତା
ସଂସ୍କାର ସଂସ୍କୃତି ସବୁ ତୋଳିଦେଇ
ବଢ଼ାଇଛି ମୋ ଅସ୍ମିତା ।
ନାନା ଭାଷା ଆସି ମୋ ଭାଷାରେ ମିଶି
କଳେବର ତା'ର ବୃଦ୍ଧି
କୋଳେଇ ନେଇଛି ପର ନମାନିଛି
ସେଥିପାଇଁ ତା' ପ୍ରସିଦ୍ଧି
ଶାସ୍ତ୍ରୀୟ ମାନ୍ୟତା ପାଇ
ଓଡ଼ିଆ ବୁକୁରେ ହରଷ ଜୁଆର
ଦେଇ ପାରିଛି ଖେଳାଇ ।
ଓଡ଼ିଆ ବୋଲି ମୁଁ ଗରବ କରୁଛି
ଭାଷାର ଗୌରବ ପାଇଁ
ଓଡ଼ିଶା ମୋ' ମାଆ ଭାଷା ବି ମୋ' ମାଆ
ଅତି ଆପଣାର ସେହି
ତାହାର ଗୌରବ ପାଇଁ
ବଳ ମୋ' ଉଦ୍ୟମ କରି ପରିଶ୍ରମ
ଅକ୍ଷୁର୍ଣ୍ଣ ରଖିବି ମୁହିଁ ।
ମୋ' ମାତୃଭାଷା ମୋ' ପାଇଁ ଶ୍ରେଷ୍ଠ
ତା' ପରି ଜଗତେ ନାହିଁ
ଓଡ଼ିଆଙ୍କ ନାଥ ପ୍ରଭୁ ଜଗନ୍ନାଥ
ଓଡ଼ିଶା ମୋ ପୂଣ୍ୟ ଭୂଇଁ
ନେଇଛି ମୋତେ କୋଳେଇ
ଭୁଲିବିନି କେବେ ତା' ପ୍ରୀତି ମମତା
ସଦା ଓଠେ ଥିବ ରହି ।
