ମୋ କବି ହେବା ନୋହିଲା
ମୋ କବି ହେବା ନୋହିଲା
ଲେଖିବିକୁ ଦିନେ ବସିଗଲି ଧରି
ଦିସ୍ତାଏ କାଗଜ କଲମ ପୁଞ୍ଜେ
ଏମିତି କବିତା ଲେଖିବି ଯେମିତି
ପାଠକେ ଭଜିବେ ସକାଳ ସଞ୍ଜେ
ଶୁଣିଛି କବିତା ଲେଖିବା କୁଆଡ଼େ
ଭାରି ଗୋଟେ ବଡ କଠିନ କାମ
ମୁଣ୍ଡ ଖଟେଇକି ଭଲ କବିତାଟେ
ଲେଖିଲେ ବଢିବ ମୋର ସୁନାମ
ଗୋଟେ ଗୋଟେ କରି କବିତା ଲେଖିବି
ପଢେଇବି ବଡ଼ବଡ଼ କବିଙ୍କୁ
ପାଣ୍ଡୁଲିପି ନେଇ ଦେଖେଇବି ଜଣେ
ଭଲ ନାଁକରା ସମ୍ପାଦକଙ୍କୁ
କବିତା ପଢିକି ସନମାନ କରି
ଛପେଇବେ ସିଏ ବହି ମୋହର
ସାରା ରାଇଜରେ ପାଠକେ ଜାଣିବେ
କରିବେ ସମସ୍ତେ ମୋତେ ଆଦର
କେତେ ପୁରସ୍କାର କେତେ ମାନପତ୍ର
ସଭା ସମିତିରେ ଅତିଥି ହେବି
ଯୁଆଡେ ମୁଁ ଯିବି ଲୋକେ କହୁଥିବେ
ମୁଁ ଜଣେ ବହୁତ ପ୍ରସିଦ୍ଧ କବି
ଏଇମିତି ଭାବି ଯେତେ ଲେଖୁଥିଲି
କୋଉଟା ବି ମୋର ମନପାଏନି
ଘରସାରା ଭର୍ତ୍ତି ଚିରା କାଗଜରେ
ତେଣେ ଗରଗର ମୋର ଘରଣୀ
ଭାବିଲି ମୁଣ୍ଡଟା ଘର ଧରୁନାହିଁ
ଚାହା କପ୍ କାଳେ କବିତ୍ବ ଚାବି
ଚାହା କପେ ଯଦି ମିଳନ୍ତା ଏବେଳେ
ଲେଖନ୍ତି କବିତା ମୁଁ ଭାବି ଭାବି
ହଇ ହେ ଶୁଣୁଛ ବୋଲି ଡାକଦେଲି
କହିଲି ଆଣିଲ କପ୍ ଟେ ଚାହା
ଗେଧ ହନୁ ପରି ଖେଙ୍କାରି ଉଠିଲେ
କଥା ଚାରିପଦ ଶୁଣିଲି ଯାହା
ଘରେ ଲୁଣ ଡାଲି କିଛି ହେଲେ ନାହିଁ
ଯାଅ ଦୋକାନରୁ ନେଇ ଆସିବ
ସାହିତ୍ୟ ଚଷିଲେ କବିତା ଲେଖିଲେ
ସେଥିରେ କି କେବେ ପେଟ ପୁରିବ
ଭାବିଲି ଏଥର ମୁଣ୍ଡ ନ ଖଟେଇ
ସହଜିଆ ବାଟ ଧରିବି ଗୋଟେ
ପତ୍ରିକା ଖେଳେଇ ଖେଚୁଡ଼ି ବନେଇ
ଦେଲେ ପାଠକେ ଯେ ଖାଇବେ ପେଟେ
ଜଣାଶୁଣା କବି ନାଆଁ ବାଛି ବାଛି
ତାଙ୍କ ଲେଖା ସବୁ କପି କରିବି
ଏଠୁ ଗୋଟେ ଧାଡି ସେଠୁ ଗୋଟେ ଧାଡି
ନେଇ ମୁଁ କବିତା ନୂଆ ଲେଖିବି
ସେଇମିତି କରି ଯୋଡିଯାଡି ଦେଲି
ଭାବିଲି ମୁଁ ବଡ କବିଟେ ହେଲି
ଯାହେଉ କଠିନ ପରିଶ୍ରମ କରି
ସୁନ୍ଦର କବିତା ଲେଖିପାରିଲି
ନାତି ମୋ ପଢୁଛି ନବମ ଶ୍ରେଣୀରେ
ପଚାରିଲା କବିତାର ସାରାଂଶ
ପାଟି ଆଫୁ ଆଫୁ ନିଜେ ମୁଁ ଜାଣିନି
ଇଏ ତ ଅନେକ କବିତା ଅଂଶ
କହିଲା ନାତିଆ ଜେଜେ ଯାହା ତମେ
ବୁଢା ବୟସରେ ହୁଅ ଛୋପରା
କବିତ୍ବ ନୁହେଁ ତ ଆଳୁ ସାରୁ ଭେଣ୍ଡି
ଈଶ୍ବରଙ୍କ ଦାନ ଅଟେ ସେ ପରା
