STORYMIRROR

Banabihari Mishra

Comedy

3  

Banabihari Mishra

Comedy

ମୋ କବି ହେବା ନୋହିଲା

ମୋ କବି ହେବା ନୋହିଲା

1 min
402

ଲେଖିବିକୁ ଦିନେ ବସିଗଲି ଧରି

ଦିସ୍ତାଏ କାଗଜ କଲମ ପୁଞ୍ଜେ

ଏମିତି କବିତା ଲେଖିବି ଯେମିତି

ପାଠକେ ଭଜିବେ ସକାଳ ସଞ୍ଜେ


ଶୁଣିଛି କବିତା ଲେଖିବା କୁଆଡ଼େ

ଭାରି ଗୋଟେ ବଡ କଠିନ କାମ

ମୁଣ୍ଡ ଖଟେଇକି ଭଲ କବିତାଟେ

ଲେଖିଲେ ବଢିବ ମୋର ସୁନାମ


ଗୋଟେ ଗୋଟେ କରି କବିତା ଲେଖିବି

ପଢେଇବି ବଡ଼ବଡ଼ କବିଙ୍କୁ

ପାଣ୍ଡୁଲିପି ନେଇ ଦେଖେଇବି ଜଣେ

ଭଲ ନାଁକରା ସମ୍ପାଦକଙ୍କୁ


କବିତା ପଢିକି ସନମାନ କରି

ଛପେଇବେ ସିଏ ବହି ମୋହର

ସାରା ରାଇଜରେ ପାଠକେ ଜାଣିବେ

କରିବେ ସମସ୍ତେ ମୋତେ ଆଦର


କେତେ ପୁରସ୍କାର କେତେ ମାନପତ୍ର

ସଭା ସମିତିରେ ଅତିଥି ହେବି

ଯୁଆଡେ ମୁଁ ଯିବି ଲୋକେ କହୁଥିବେ

ମୁଁ ଜଣେ ବହୁତ ପ୍ରସିଦ୍ଧ କବି


ଏଇମିତି ଭାବି ଯେତେ ଲେଖୁଥିଲି

କୋଉଟା ବି ମୋର ମନପାଏନି

ଘରସାରା ଭର୍ତ୍ତି ଚିରା କାଗଜରେ

ତେଣେ ଗରଗର ମୋର ଘରଣୀ


ଭାବିଲି ମୁଣ୍ଡଟା ଘର ଧରୁନାହିଁ

ଚାହା କପ୍ କାଳେ କବିତ୍ବ ଚାବି

ଚାହା କପେ ଯଦି ମିଳନ୍ତା ଏବେଳେ

ଲେଖନ୍ତି କବିତା ମୁଁ ଭାବି ଭାବି


ହଇ ହେ ଶୁଣୁଛ ବୋଲି ଡାକଦେଲି

କହିଲି ଆଣିଲ କପ୍ ଟେ ଚାହା

ଗେଧ ହନୁ ପରି ଖେଙ୍କାରି ଉଠିଲେ

କଥା ଚାରିପଦ ଶୁଣିଲି ଯାହା


ଘରେ ଲୁଣ ଡାଲି କିଛି ହେଲେ ନାହିଁ

ଯାଅ ଦୋକାନରୁ ନେଇ ଆସିବ

ସାହିତ୍ୟ ଚଷିଲେ କବିତା ଲେଖିଲେ

ସେଥିରେ କି କେବେ ପେଟ ପୁରିବ


ଭାବିଲି ଏଥର ମୁଣ୍ଡ ନ ଖଟେଇ

ସହଜିଆ ବାଟ ଧରିବି ଗୋଟେ

ପତ୍ରିକା ଖେଳେଇ ଖେଚୁଡ଼ି ବନେଇ

ଦେଲେ ପାଠକେ ଯେ ଖାଇବେ ପେଟେ


ଜଣାଶୁଣା କବି ନାଆଁ ବାଛି ବାଛି

ତାଙ୍କ ଲେଖା ସବୁ କପି କରିବି

ଏଠୁ ଗୋଟେ ଧାଡି ସେଠୁ ଗୋଟେ ଧାଡି

ନେଇ ମୁଁ କବିତା ନୂଆ ଲେଖିବି


ସେଇମିତି କରି ଯୋଡିଯାଡି ଦେଲି

ଭାବିଲି ମୁଁ ବଡ କବିଟେ ହେଲି

ଯାହେଉ କଠିନ ପରିଶ୍ରମ କରି

ସୁନ୍ଦର କବିତା ଲେଖିପାରିଲି


ନାତି ମୋ ପଢୁଛି ନବମ ଶ୍ରେଣୀରେ

ପଚାରିଲା କବିତାର ସାରାଂଶ

ପାଟି ଆଫୁ ଆଫୁ ନିଜେ ମୁଁ ଜାଣିନି

ଇଏ ତ ଅନେକ କବିତା ଅଂଶ


କହିଲା ନାତିଆ ଜେଜେ ଯାହା ତମେ

ବୁଢା ବୟସରେ ହୁଅ ଛୋପରା

କବିତ୍ବ ନୁହେଁ ତ ଆଳୁ ସାରୁ ଭେଣ୍ଡି

ଈଶ୍ବରଙ୍କ ଦାନ ଅଟେ ସେ ପରା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy