STORYMIRROR

Rabindra kumar Sahoo

Abstract Tragedy

4  

Rabindra kumar Sahoo

Abstract Tragedy

ମୋ ଜୀବନର ମୂଲ୍ୟ କ'ଣ

ମୋ ଜୀବନର ମୂଲ୍ୟ କ'ଣ

2 mins
392


ମୁଁ ଏକ ନିରୀହ ନିଷ୍କପଟ ମଣିଷଟିଏ

ମୋ ଜୀବନର ମୂଲ୍ୟ କ'ଣ ?

ମୁଁ ଗୋଟାଏ ଖଟିଖିଆ ମଜୁରିଆ ମୁଲିଆଟିଏ

ମୋ ଜୀବନର ମୂଲ୍ୟ କ'ଣ ?

ମୁଁ ଶାସନ ପ୍ରଶାସନ କଳର 

ସାଧାରଣ ଜନତାଟିଏ

ମୋ ଜୀବନର ମୂଲ୍ୟ କ'ଣ ?

ମୁଁ ଖରା ବର୍ଷା ଶୀତ କାକରରେ ଭିଜା

ମେହନତୀ କୃଷକଟିଏ

ମୋ ଜୀବନର ମୂଲ୍ୟ ବା କ'ଣ ?

ଭୋକ ଭୂଗୋଳରେ ଦୁଃଖ ଓ ଦୁର୍ଦ୍ଦିନରେ

ଜୀବନ ଓ ଯନ୍ତ୍ରଣାକୁ ନେଇ

ଇତିହାସ ରଚୁଥିବା 

ଦାରିଦ୍ର୍ୟ ସୀମାରେଖା ତଳେ 

ବଞ୍ଚୁଥିବା ମଣିଷଟିଏ ମୁଁ

ମୋ ଜୀବନର ମୂଲ୍ୟ କ'ଣ ?


ରଙ୍ଗ ହୀନ ବ୍ୟଙ୍ଗ ହୀନ

ନାମ ମାତ୍ର କ୍ଷୁଦ୍ର ବଣିକଟିଏ ମୁଁ

ଅସୀମ ଦୁର୍ଦ୍ଦଶାର ମୁକ ସାକ୍ଷୀ ମୁଁ

ପାଞ୍ଚ ପ୍ରାଣୀ କୁଟୁମ୍ବର ବୋଝ ବୋହୁଥିବା

ଦୀନହୀନ ଦରିଦ୍ରଟେ ମୁଁ

ସମାଜରେ ନିଜର ଅଧିକାର

ସାବ୍ୟସ୍ତ କରିବାର ଅଧିକାର ନ ଥବା

ଦିଶାହୀନ ଅନ୍ଧ ମୁକ ବଧିର ସଦୃଶ

ମଣିଷ ଟିଏ ମୁଁ

ମୋ ଜୀବନର ମୂଲ୍ୟ କ'ଣ ?


ସତ୍ୟ, ନ୍ୟାୟ, ନୀତି ଆଦର୍ଶ ପଥରେ

ଚାଲୁଥିବା ନିରୀହ ନିର୍ଦ୍ଦୋଷ ନିଷ୍କପଟ

ମଣିଷଟିଏ ମୁଁ

ପରୋପକାର ଓ ତ୍ୟାଗରେ

ବିଶ୍ଵାସ ରଖୁଥିବା ମଣିଷଟିଏ ମୁଁ

ଭାଇ ବନ୍ଧୁ କୁଟୁମ୍ବଙ୍କ ସ୍ଵାର୍ଥପର ନୀତିକୁ

ବିରୋଧ କରୁଥିବା ମଣିଷଟିଏ ମୁଁ

ପ୍ରେମିକା ମନ ଓ ହୃଦୟର

ସ୍ଵାର୍ଥର ବାସନାକୁ

ପଢିପାରୁଥିବା ସରଳ ମନର

ମଣିଷଟିଏ ମୁଁ

ପ୍ରେମିକାର ପ୍ରେମ ପରୀକ୍ଷାରେ

ଅଯୋଗ୍ୟ ଅନୁତ୍ତୀର୍ଣ୍ଣ ମଣିଷଟିଏ ମୁଁ

ମୋ ପ୍ରେମ, ଧର୍ମ, କର୍ମ

ନୀତି, ଆଦର୍ଶର ମୂଲ୍ୟ କ'ଣ

ମୋ ଜୀବନର ମୂଲ୍ୟ ବା କ'ଣ ?


ନିର୍ବାଚନ ରଣାଙ୍ଗନରେ

ଶୋଷିତ ଦଳିତ ମତ ଦାତାଟିଏ ମୁଁ

ନାହିଁ ଅର୍ଥ ନାହିଁ କ୍ଷମତା

ନାହିଁ ବାହୁ ବଳ ନାହିଁ ମନୋବଳ

ନାହିଁ ଜନ ବଳ

ନା ଅଛି କହିବା କରିବାର 

କିଛି ସ୍ଵାଧୀନତା

ଅଦୃଶ୍ୟ ସାମାଜିକ ଶିକୁଳିରେ 

ବନ୍ଦୀ ସଦୃଶ ମୁଁ ବୃହତ ଗଣତନ୍ତ୍ରର

ସାଧାରଣ ନିରୀହ ଭୋଟର

ମୁଁ ନିରୀହ ସାଧାରଣ ଜନତା

ମୋ ଜୀବନର କିବା ମୂଲ୍ୟ

ମୁଁ କହିବି ବିଚାରିବି

ନ୍ୟାୟ ଅନ୍ୟାୟ ର କଥା ?


ଦୁର୍ନୀତି ଭ୍ରଷ୍ଟାଚାର ବିରୁଦ୍ଧେ

ସ୍ଵର ଉଠାଇ ପାରେ ନା

ଲାଞ୍ଚ ମିଛ କଥା କହି ମୋତେ ଆସେନା

ମୁଁ ପିତ୍ତଳ କି ସୁନା ମୁଁ ନିଜେ ଜାଣେନା

ନିରକ୍ଷରତା ଓ ଦାରିଦ୍ର୍ୟତା ମଧ୍ୟେ

ମୋ ପ୍ରକୃତି ଓ ମୋ ମାଟିକୁ ଭୁଲେନା

ଛନ୍ଦ କପଟ ମଧ୍ୟେ 

ରାଜନୀତି ପଶାପାଲିରେ

ମହାଭାରତ ମୁଁ ରଚେନା

ଜାତିକୁ ନେଇ ଧର୍ମକୁ ନେଇ

କ୍ଷମତା ସିଂହାସନ ପାଇଁ 

ଦ୍ଵନ୍ଦ୍ଵ ଯୁଦ୍ଧ ମୁଁ କରେନା

ମା'ର ସମ୍ମାନ ଗାଁର ସମ୍ମାନ

ମୋ ଜାତି ମୋ ଦେଶ 

ମୋ ମାଟି ଠାରୁ ବଡ ବୋଲି

ମୁଁ କାହାକୁ ଭାଳେନା

ନିରକ୍ଷର ଦରିଦ୍ର ହେଲେ ବି

ସଚ୍ଚୋଟତାକୁ ଭୁଲେନା

ମୋ ଜୀବନର ମୂଲ୍ୟ କ'ଣ

ମୁଁ ଏବେ ବି ବୁଝେନା କି ଜାଣେ ନା ?



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract