ମୋ ଗାଁ କାନ୍ଦୁଛି
ମୋ ଗାଁ କାନ୍ଦୁଛି
ସତେକି,
ସମୟର ଅସରାଏ ବର୍ଷା ଆସି,
ମୋ ଗାଁ ଦାଣ୍ଡ ଧୂଳି ଖେଳରେ
ପାଣି ଛିଞ୍ଚି ଦେଇ ଯାଇଛି l
ଏଇତ,
ସବୁ କ’ଣ ସଫା ସଫା ଦିଶୁଛି !
ଓଃହଁ ପରା
ପ୍ରଧାନମନ୍ତ୍ରୀଙ୍କ ସଡ଼କ ଯୋଜନା,
ମୋ ଗାଁ ଦାଣ୍ଡ ଦେଇ ଲମ୍ବି ଯାଇଛି l
ଏ ଡାଳ ମାଙ୍କୁଡ଼ି ଖେଳ କେମିତି ?
ବହିରୁ ପଢି,
ସାନ ଭଉଣୀ ମୋ ପଚାରି ବୁଝୁଛି ।
କ’ଣ କହି ମୁଁ ତାକୁ ବୁଝେଇବି ?
ସିଏ କି ଜାଣେ !
ଖେଳିବା ସାଧନ ମୋ ଗାଁ ବରଗଛଟା-
କେଇଟା ଟଙ୍କା ପାଇଁ,
କେବେଠୁ ନିଲାମ ହେଇ ଯାଇଛି l
ପୁଚି,ଲୁଚଳାଳୀ,ଛାଇଚପୁରୀ ଆଉ ବାଗୁଡ଼ିଖେଳ
ପୁନେଇଁ ରାତିରେ ଖେଳ ପଡ଼ିଆରେ ଟୋକାଙ୍କ ମେଳ
କେଜାଣି କାହିଁ କେବେଠୁ ହଜିଯାଇଛି l
ହଁ ଆଉ ଖେଳିବ ବା କିଏ ?
ମୋ ଗାଁର,
ଖେଳିବା ବୟସର ଯେତକ ପିଲା
ସ୍ମାର୍ଟ ଫୋନ୍ ରେ ଆଧୁନିକ ଖେଳ ଧରି ବସିଛି ।
ସେ ନୂଆଁଳିଆ ଚାଳ ଘରଟା
ଛାତଘର ହେଇ ଠିଆ ହେଇଛି
ଘରଟା ଯାକ,
ଟାଇଲି,ମାର୍ବଲ ଚକଚକ ଖାଲି କରୁଛି l
ବରଷା ଛିଟାରେ ମାଟି କାନ୍ଥ ଆଉ ଭିଜୁନି
କି ତଳଟା ବି ଆଉ ଗୋବର ଗୋବର ବାସୁନି
ଓଃ ଭୂମିହୀନ ଆଉ ବାସହୀନ ବୋଲି
ଭୋଟ ବଦଳେ-
ପରା ଇନ୍ଦିରା ଆବାସ ମିଳି ଯାଇଛି…।
ବଉଳ ମୋର ଓଡ଼ିଶି ନାଚେ
ବୋଧେ ଏସବୁ ସିଏ ଭୁଲି ଯାଇଛି
ହଁ କ’ଣବା ଆଉ କରିବ !
କେବୁଲୁ ଡିଶ୍ ଆସିବା ଦିନୁ,
ଚାହିଦା ଲଙ୍ଗଳା ନାଚର ବଢି ଯାଇଛି
ସେଇଥି ପାଇଁ,
ସିଏବି ତା’ ପାଦରୁ ଘୁଙ୍ଗୁର ଖୋଲି,
ଘର ଭିତରେ କେଉଁଠି ରଖି ଭୁଲି ଯାଇଛି ।
ପଡ଼ିଶା ଘର ଜେଜେମା’ର
ହାତରନ୍ଧା ଭାରି ସୁଆଦ
ହେଲେ ସେତକ ବି ଆଉ କିଏ ଦଉଛି !
ଭାଇ ଭଗାରୀ କଥାତ ;
ଅହଂକାରଟା ପାଚେରୀ ଠିଆ ହେଇଛି
ହଁମୁଁ ବି କେବେଠୁ ସହରେ ରହି
ତା ହାତରନ୍ଧା ସ୍ଵାଦ,
ସମ୍ପୂର୍ଣ ମନରୁ ଭୁଲି ଯାଇଛି ।
ମୋ ଗାଁର ଭାଇଚାରାଟା
ପାର୍ଟି ପଲିଟିକ୍ସ ପାଇଁ ଲୁଚି ଯାଇଛି
ସେଦିନ ସବୁକୁ ଆଜିବି ମୁଁ
ଗାଁ ଦାଣ୍ଡରେ ମୋ ଖୋଜି ହଉଛି ।
ହେଲେ କୋଉ ମିଳୁଛି ନା ଫେରୁଛି
ନିଶବ୍ଦ ରାତିରେ ଷ୍ଟ୍ରୀଟ ଆଲୁଅରେ,
ମୋ ଗାଁ ଖାଲି,
ବାହୁନି ବାହୁନି କାନ୍ଦୁଛି
ବାହୁନି ବାହୁନି କାନ୍ଦୁଛି