ମୋ ଗାଆଁ
ମୋ ଗାଆଁ
ସରଗକୁ ସିଡ଼ି ନାହିଁ ବୋଲି ଯିଏ
କହିଦେଇ ଗଲେ ଚାଲି,
ଇଛା ହୁଏ ଥରେ ତାଙ୍କୁ କହିବାକୁ
ଆସ ଆମ ଗାଁଆ ବୁଲି।। ୧
ଇନ୍ଦିର ଦେବତା ସରଗେ ଯତନେ
ଯାହା ସବୁ ଦେଲା ଖଞ୍ଜି,
ସେସବୁ ଦରବ ମୋ ଗାଁଆ ରେ ମିଳେ
ଅଛି ତାର ସବୁ ମଞ୍ଜି।। ୨
ଦେବତା ସକଳ ହୁଅନ୍ତି ବିକଳ
ମଣିଷ ଜନମ ପାଇଁ,
ମୋ ଗାଆଁ ମନ୍ଦିରେ ଆଳତି ବେଳରେ
ସତେ କି ଆସନ୍ତି ଧାଇଁ।। ୩
ପୂରୁବ ଆକାଶେ ସୁରୁଜ ଉଇଁଲେ
ଦାଣ୍ଡରେ ମୁରୁଜ ହସେ,
ଗୋବର ଧୌତ ଚାଳ ଛପର ମୋ
ଆହା କି ସୁନ୍ଦର ଦିଶେ।। ୪
ଗାଆଁ ଭୁଆସୁଣୀ ସଜ ହୋଇ ପୁଣି
ଆସୁଥାଏ ଯେବେ ଚାଲି,
କି ରମ୍ଭା ଉର୍ବଶୀ ସ୍ୱର୍ଗର ରୂପସୀ
ଲାଗେ ସବୁ ତୁଛ ଖାଲି।। ୫
ଗଛ ଛାଇ ତଳେ ଦ୍ବୀପହର ବେଳେ
ପଶା ପାଲି ଖେଳ ବେଳେ,
ଭୁଲି ଯାଏ ମୁହିଁ ଦୁଃଖ ଜୀବନର
ଗାଆଁ ବୃଦ୍ଧଙ୍କର ମେଳେ।। ୬
ମନେ ପଡେ ଯେବେ ଗାଆଁ ଚାଟଶାଳୀ
ଲୋତକ ପଡଇ ଝରି,
ଅବଧାନଙ୍କର ପଣିକିଆ ଘୋଷା
କିଏ ହେବ ତାଙ୍କ ସରି।। ୭
ଗୋଧୂଳି ବେଳରେ ମୋ ଗାଆଁ ମନ୍ଦିରେ
ସନ୍ଧ୍ୟା ଦୀପ ଯେବେ ଚଢ଼େ,
ମୋ ଗାଁଆ ଘରଣୀ ସଜବାଜ ହୋଇ
ଭାଗବତ ବସି ପଢେ।। ୮
ଭୂଗୋଳ ପୋଥିର ପୃଷ୍ଠାକୁ ମଣ୍ଡନ
ନ କରି ପାରେ ମୋ ଗାଁଆ,
ତଥାପି ମୋ ଗାଆଁ ସରଗଠୁ ବଡ଼
ରଖିବି ତାହାର ନାଆଁ।। ୯
ଭାଷେ ହୃଷିକେଶ ହୋଇ ତାର ଦାସ
ତା ପୟରେ ରଖି ଲୟ,
ଏ ସାରା ଦୁନିଆ ମନେ ରଖିଥିବ
ମୋ ଗାଆଁର ହେବ ଜୟ।। ୧୦.
ରଚନା - ମିଶ୍ର ହୃଷିକେଶ