STORYMIRROR

Sabita Nayak

Inspirational

4  

Sabita Nayak

Inspirational

ମୋ ବୋଉ

ମୋ ବୋଉ

1 min
280


ରାତି ନପାହୁଣୁ ସହଳ ଉଠିକି

ବାସିକାମ କରିଦେଉ

କାଉର ଡାକରେ ଗାଆଁଟା ଉଠେଲୋ

ତୋର ମିଠା ଡାକରେ ମୁଁ।


ଧୂଳିବାଲି ହୋଇ ଦାଣ୍ଡରେ ଖେଳିଲେ

କାନିରେ ତୁ ଝାଡିଦେଉ

ଅମାନିଆ ହୋଇ ଅଳି କେବେ କଲେ

ହସି ହସି ତୁ ବୁଝାଉ।


ପଣତରେ ତୋର ସରଗର ସୁଖ

ଆଉ ନ ମିଳେ କେଉଁଠି

ତୋରି ହସରେ ହଜିଯାଏ ମୋର

ସବୁ ଦୁଃଖ ଯନ୍ତ୍ରଣାଟି।


ତୁ ଥିଲେ ପାଖେ ଲୋଡାନାହିଁ ମୋର

କୋଟି କୋଟି ଧନରତ୍ନ

ସାରା ଯନ୍ତ୍ରଣାର ଉପଶମ ବୋଉ

ତୋର ସ୍ନେହର ପରଶ।


କାଲୁଆ ଜାଡ ବି ଥମିଯାଏ ବୋଉ

ଉଷୁମ ପଣତ ତୋର

ଦାମୀ କମ୍ବଳଟା ଶୀତ ନ ସମ୍ବାଳେ

(ତୁ)ନଥିଲେ ପାଖରେ ମୋର।


ତୋ ହାତର ଯାଦୁ ବଗଡା ଅନ୍ନ

ତୋ ଶାଗ ପଖାଳ ମୋହ

ଦାମୀ ଚାଉଳରେ ନଥାଏ ଲୋ ବୋଉ

ତୋ ପରି କେ ହେବ କୁହ।


ଯେତେ ଚେଷ୍ଟାକଲେ ଲୁଚାଇ ପାରେନି

କେମିତି ତୁ ପଢିନେଉ

ଯେତେ ହସୁଥିଲେ ମୋ ହୃଦୟ ଦୁଃଖ

କେମିତି ତୁ ଜାଣିଦେଉ।


ମୋ ପାଇଁଲୋ ତୁହିଁ ପୁଜୁଥାଉ ନିତି

ହଜାରେ ଦିଅଁଦେବତା

ମୋର ଖୁସିପାଇଁ ଜଳୁ ନିତି ନିତି

ହୋଇ ସ୍ନେହର ବଳିତା।


କେବେ ତୁ ମାଗିନୁ ତୋ ତ୍ୟାଗର ମୂଲ୍ୟ

କେବେ ମୁଁ ପାରିନି ଦେଇ

ମୋ ଆଖିରେ ସଦା ଖୁସି ତୁ ଚାହିଁଛୁ

ଦୁନିଆରେ ଶ୍ରେଷ୍ଠ ତୁହିଁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational