ମୋ ବନ୍ଧୁ ପରି କିଏ ହେବ
ମୋ ବନ୍ଧୁ ପରି କିଏ ହେବ
ଝରି ଯାଉଥିବା
ସରୁ ଝର ସହ
ଉପନଦୀଟିଏ ପରି,
ମିଶି ରହିଥାଏ
ତମାମ୍ ଜୀବନ
କ୍ଷୀର-ନୀର ଭାବ ଧରି।
ନିଜ ଭାଗ ଦୁଃଖ
ଉଧାର ଦିଏନା
ଅନୁମତି ବିନା
ନେଇଯାଏ ଯେତେ
ଦୁଃଖ ଓ ଶୋକର
ଗରୁଆ ଗଣ୍ଠିଲି ବୋଝ,
ପ୍ରକୃତ ବନ୍ଧୁ ସେ
ଉଜୁଡା ଜୀବନେ
ବିଶ୍ବାସ ରୂପୀ ତାବିଜ।
ପଛେଇ ଯାଏନା
କହିବାକୁ କେବେ
ଦୋଷ ତ୍ରୁଟି ଆମ
ଏକାନ୍ତେ ନିଜର କରି,
ବିପଥରୁ ଟାଣି
ସତ୍ ପଥେ ଚଲାଏ
ସାଥେ ଥାଏ ଛାଇ ପରି।
ଚିର ସ୍ରୋତସ୍ବିନୀ
ବନ୍ଧୁତ୍ବର ଧାରା
ଧୋଇ ଦିଏ ଆମ
ହୃଦୟର ଆବିଳତା,
ମୈତ୍ରୀ ପ୍ରୀତିରେ
ସଂଚରି ଯାଏ
ପ୍ରାଣେ ପ୍ରାଣେ ଆମ
ବନ୍ଧୁତ୍ୱର ମଧୁ ଗାଥା।