ମୋ ବିନା ତୁମ ପ୍ରତିବିମ୍ବ ଅସମ୍ପୂର୍ଣ୍ଣ
ମୋ ବିନା ତୁମ ପ୍ରତିବିମ୍ବ ଅସମ୍ପୂର୍ଣ୍ଣ
ଅସମ୍ପୂର୍ଣ୍ଣ ବୋଲି ମଣୁଛ କାହାକୁ ?
ପାରିବ କି ଦେଇ ଏ ପ୍ରଶ୍ନର ପ୍ରତ୍ୟୁତ୍ତର
ହେ ସଭ୍ୟ ସମାଜର ତଥାକଥିତ ନରନାରୀଗଣ!
ନା,ବୋଧେ ନାହିଁ ଏ ପ୍ରଶ୍ନର ଉତ୍ତର
ସେଥିପାଇଁ ଘୋଟିଗଲା,
ନୀରବତାର କଳାବାଦଲ।
କାରଣ,
ଜାଣନାହିଁ ବୋଧେ ତୁମେ
ଅସମ୍ପୂର୍ଣ୍ଣ ଆଉ ସମ୍ପୂର୍ଣ୍ଣର ସମାହାରେ
ଗଢା ଏଇ ଆମ ଜୀବନ।
ଈଶ୍ବରଙ୍କ ସର୍ଜନାରେ
କହିପାରିବ କି କେ ଅଟେ ସମ୍ପୂର୍ଣ୍ଣ ?
ନିରେଖି ଦେଖ ସେ ନୀଳାଭ ଗଗନକୁ,
ତାରାଶଶୀ ବିନା ହୋଇପାରିବ କି ସେ ପୂର୍ଣ୍ଣ,
ନା ଚନ୍ଦ୍ରମା ବିନା ଚନ୍ଦ୍ର ହୋଇପାରିବ ସମ୍ପୂର୍ଣ୍ଣ।
ଧରା ସ୍ପର୍ଶ ବିନା ବାରି ହୁଏ କି ସମ୍ପୂର୍ଣ୍ଣ ,
ନା ସାଗର ବିନା ତଟିନୀ ହୋଇପାରେ ପୂର୍ଣ୍ଣ।
ବିନା ରବି ତେଜେ ପଦ୍ମ ହୋଇପାରେ କି ସମ୍ପୂର୍ଣ୍ଣ ,
ନା ସବୁଜିମା ବିନା ଶୋଭା ପାଇବ କାନନ।
ତେଣୁ ହେ, ପ୍ରଗତିଶୀଳ ସମାଜ!
ସବୁ ପୂର୍ଣ୍ଣ ଲାଗିଲେ ବି
ବାସ୍ତବରେ ଏଠି କିଛିଟା ଅପୂର୍ଣ୍ଣ।
ଏଠି ପୂର୍ଣ୍ଣିମାର ଉପଭୋଗ ପାଇଁ
ଅମାବାସ୍ୟାକୁ ତ ଅତିକ୍ରାନ୍ତ କରିବାକୁ ହେବ,
ସମ୍ପୂର୍ଣ୍ଣତା ପ୍ରାପ୍ତି ପାଇଁ ଅସମ୍ପୂର୍ଣ୍ଣତାର
ସଂକୀର୍ଣ୍ଣତାକୁ ତ ଡେଇଁ ଯିବାକୁ ହେବ।
