ବନ୍ଧୁ
ବନ୍ଧୁ
ବନ୍ଧୁ, ଯା ପାଖେ
ମୁହଁ ଖୋଲି ମାଗିବାକୁ ପଡ଼େନି
ସ୍ନେହ, ପ୍ରେମ, ଆଉ କାଣିଚାଏ ସମୟ ।
ଅପହଞ୍ଚ ଦୂରତାରୁ ବି
ଅନାୟାସେ ସେ ଯାଚିଦିଏ ସବୁକିଛି ।
ଫୁଲ ହେଉ କି କଣ୍ଟା
ସୁଖ ହେଉ କି ଦୁଃଖ ,
କେବଳ ସାଥି ହୋଇ ଚାଲେନି
ବରଂ , ବରଂ
ଝୁଣ୍ଟି ପଡ଼ିଲେ ଯିଏ ବଢ଼େଇ ଦିଏ ହାତକୁ ହାତ
କଢ଼େଇ ନିଏ ଆଉ କିଛି ବାଟ ।
ହସ ପାଇଁ ହସଟେ ଲୋଡ଼େନି,
ଉତ୍ତରଟେ ପାଇଁ ପ୍ରଶ୍ନ ବି ଖୋଜେନି ।
ରାଗ ରୁଷା ,ମାନ ଅଭିମାନ
ସବୁକୁ ଫୁ କରି ଉଡ଼େଇ ଦେଇ
ଖାଲି ଯାହା
ମନ ଜାଣି ବାଢ଼ିପାରେ ନିରୁତା ଆତ୍ମୀୟତା
ଏ ମତଲବୀ ଦୁନିଆରେ,
ନିଷ୍କପଟ ମଣିଷ ବେଶରେ
ଯୋଗାଇ ପାରେ
ମୁଠାଏ ବିଶ୍ବାସ ଆଉ ବୁନ୍ଦାଏ ଭରଷା ।