ମନୋରମା ଫେରିବ
ମନୋରମା ଫେରିବ
ମନୋରମା ଫେରିବ; ରଜ ପର୍ବରେ
ଭାବିଛି ଦୋଳି ଖେଳିବ
ପିଲା ଦିନର ସ୍ମୃତିକୁ ଜାବୁଡି ଧରିବ
ସାଂଗ ସାଥି, ପିଠାପଣା ଓ ନାଚଗୀତ
ଗାଁ ଯାତ୍ରାର ଚିହ୍ନାଁ ଅଚିହ୍ନାଁ ଚରିତ୍ର
ନଈ ତୁଠରେ ବସି
ଗପର ଆସର ଖୋଲିବ
ନୂଆ ବସ୍ତ୍ର ପିନ୍ଧି ରଜ ଦୋଳି ଝୁଲିବ
କାରଣ ମନୋରମା ଫେରିବ।
ଖୋଲା ଆକାଶକୁ ଚାହେଁ ସେ
କ'ଣ ଭାବେ କେଜାଣେ
ଆଖି ଛଳ ଛଳ କରି
ଦୌଡିଯାଏ ଘର ଭିତରକୁ
ଓଡିଶାର କେଉଁ ଏକ ଜିଲ୍ଲାର ମାନଚିତ୍ର ସାଜି
କାନ୍ଥରେ ଚାପିଯାଇଥିବା ଆଇନା ନିକଟକୁ
ନିଜକୁ ଭଲକରି ଦେଖି ପ୍ରସ୍ତୁତ ହୁଏ
ଝରି ଆସୁଥିବା ଲୋହକୁ ପୋଛିଦିଏ
କାରଣ ମନୋରମା ଫେରିବ।
ଅପେକ୍ଷା କରେ ଏକ ଅଦିନିଆ ବର୍ଷାକୁ
ସେ ବର୍ଷିବ ଓ ମୌସମୀ ପବନ ଧକ୍କାରେ
ଭୁଲିଯିବ ତାର ସମସ୍ତ କ୍ଲାନ୍ତ ଯନ୍ତ୍ରଣାକୁ
ନିଜକୁ ଯେବେ ସେ ପ୍ରଶ୍ନ କରେ
ମୁଁ କିଏ ?
ଅମାବାସ୍ୟାରେ ଆଲୋକର ସନ୍ଧାନ ପରି
ଖଦୋତିକାର ଦିକ୍ ଦିକ୍ ଆଲୋଅ ଫାଂକରେ
ଉତ୍ତର ପାଏ; ତୁମେ ମନୋରମା
ସମାଜର ଭିନ୍ନ ଭିନ୍ନ ଆଖିଠାର ନାଆଁରେ
ଭାଂଗିଯାଇଥିବା ମନଟା ସଜାଡି ବସେ
କାରଣ ମନୋରମା ଫେରିବ।
ପ୍ରତିଜ୍ଞା କରିଛି ସେ
ସମାଜର ନାଲି ଆଖି ଭୟକୁ ଭାଂଗିବ
ଏକ ମୁକ୍ତ ବିହଂଗ ପରି
ସ୍ବପ୍ନ ବିଭୋର ହୋଇ ଉଡି ବୁଲିବ
ଅଦୂରରୁ ଆସୁଥିବା ମନର ପୁରୁଷ ସାଥିରେ
ଷୋହଳ ସିଂଗାର ହୋଇ
ଘର ତୋଳିବ ସେ ଏକ ଅଜଣା ଗ୍ରହରେ
ସେ ଭୁଲିଥିଲା ସିନ୍ଥିରେ ସିନ୍ଦୂର
ସେ ଭୁଲିଥିଲା ହାତରେ ନାଲିଚୂଡି
ସେ ଭୁଲିଥିଲା ଗଳାରେ ସାତଜନ୍ମ ବନ୍ଧନର ହାର
କିଏ ଜାଣିଥିଲା ପୁରୁଷଟା ବାନ୍ଧିଦେବ
ରାତି ପାଇଁ ତାକୁ ଏକ ଯନ୍ତ୍ରଣା ବନ୍ଧନରେ
କାରଣ ମନୋରମା ଫେରିବ ।
