ମଣିଷପଣିଆ
ମଣିଷପଣିଆ
ମଣିଷପଣିଆ ଦିଶେ ନାହିଁ କାହିଁ
ଅମଣିଷ ସବୁ ଏଠି
ମଣିଷ ନିଜର ଅସ୍ତିତ୍ୱ ଭୁଲିକି
ସ୍ଵାର୍ଥେ ଧରେ ମାପକାଠି ।
ଦଶ ମାସ ଯିଏ ଗରଭେ ଧରିଲା
ତାକୁ ଆଜି ହେୟ କରି
ରାଜରାସ୍ତେ ଆଣି ତାକୁ ଫିଙ୍ଗି ଦିଏ
ଅଲୋଡ଼ା ଯେ ମନେ କରି ।
ଯେଉଁ ବାପା ତାକୁ ଚାଲି ଶିଖେଇଲା
ଆଙ୍ଗୁଠି ତାହାର ଧରି
ବୃଦ୍ଧ କାଳେ ତାକୁ ଘରୁ ଦିଏ ତଡି
ଗଳାକୁ ତାହାର ଧରି ।
ଯେଉଁ ଭଉଣୀ ଟି ରାକ୍ଷୀ ବାନ୍ଧେ ତାକୁ
ଭାଇ ଭାଇ ବୋଲି ଡାକି
ସମ୍ପତି ପାଇଁକି ତାକୁ ଦିଏ ମାରି
ସେଇ ହାତ ବନ୍ଧା ରାଖୀ ।
ପିଲାବେଳେ ଯେଉଁ ଭାଇ ସହ ସିଏ
ଖେଳୁଥିଲା ଯିଏ ଖେଳ
ସେଇ ଭାଇ ଆଜି ଭଗାରୀ ଅଟଇ
ସମୟ ଖେଳୁଛି ଖେଳ ।
ରକ୍ତ ର ସଂମ୍ପର୍କ ଅଲୋଡ଼ା ଏଠି ଯେ
ଟଙ୍କା ଅଟେ ସବୁ କିଛି
ଟଙ୍କା ଥିବା ଯାଏ ସିଏ ତ ମଣିଷ
ସରିଲେ ଚିହ୍ନେନା କିଛି ।
ଟଙ୍କା ପାଇଁ ଏଠି ମଣିଷପଣିଆ
ବିକ୍ରି ହୋଇଯାଏ ପରା
କିଣିବା ଗରାଖ ବହୁତ ଏଠି ଯେ
ସ୍ୱାର୍ଥ ରେ ଦୁନିଆ ଘେରା ।
ଦୁଃଖୀକୁ ଦେଖିଲେ ଆହା କହିବାକୁ
ତୁଣ୍ଡରେ ନ ଆସେ କାର
ଥିଲାଵାଲା ଏଠି ଆହା ପଦେ କହି
ଲୁଟିନିଏ ପୁରସ୍କାର ।
ବିବେକ ହରାଇ ମଣିଷ ଆଜିତ
ଭୁଲ ପଥେ ଚଳେ ବାଟ
କି କହିବ ତାକୁ ଵିଵେକୀ ମଣିଷ
ଅଟେ ଯିଏ ତାର ଚାଟ ।
ଭିକାରି ଦେଖିଲେ ଭିକ ଦେବା ଲୋକ
ମିଳନ୍ତି ଏଠି ବହୁତ
ସେହି ମଣିଷଟି ସ୍ୱାର୍ଥ ପୂର୍ତ୍ତି ହେତୁ
ଖାଏ ଲାଞ୍ଚ ଯେ ବହୁତ ।
ପଦବୀ ଗୁମାନ ଦେଖାନ୍ତି କିଛି ତ
କେହି ପୁଣି ଧନବାନ
କେହି ପୁଣି ଏଠି ସମାଜସେବୀ ତ
କେହି ପୁଣି ନ୍ୟାୟ ବାନ ।
ଡାକ୍ତର ପରା ଯେ ଭଗବାନ ବୋଲି
ଦୁନିଆ ରେ କୋଳାହଳ
ସେଇ ଡାକତର ରୋଗୀ ସେବା ଛାଡି
ଟଙ୍କା ପଛ ରେ ପାଗଳ ।
ପୋଲିସ ବାବୁ ତ ସୁରକ୍ଷା କଥାକୁ
ପାଶୋରି ଅଛନ୍ତି ମନୁ
ପଣ୍ଡିତ ପୁଅ ତ ମାଙ୍କଡ଼ ମାରିଲେ
ଦୋଷ ହୁଏ ନାହିଁ ତେଣୁ ।
ଏତିକି କହିବି ସୁଧିଜନେ ଆହେ
ନ ହୁଅ ତୁ ଅମଣିଷ
ମଣିଷପଣିଆ ଟିକିଏ ବଞ୍ଚା ତୁ
ନହେଲେ ହୋଇବୁ ଶେଷ ।