ବଧୂ ବେଶରେ ଆତ୍ମା
ବଧୂ ବେଶରେ ଆତ୍ମା
ରେ ଆତ୍ମା !
ନବବଧୂ ସାଜି ଏ ଦେହକୁ ଛାଡି,
ମହାଶୂନ୍ୟର ଆବର୍ତ୍ତନ ନିକଟକୁ ତୁ ଚାଲିଯା ।
ଆଜିଠାରୁ ସେ ତୋ' ହାତ ଧରିବ ।
ତୋ ସଂଭ୍ରମିତ ଅଵଗୁଣ୍ଠିତ ଅଙ୍ଗକୁ,
ମୃଦୁ କୌତୁହଳରେ,
ପ୍ରକାଶର କିରଣ ସ୍ପର୍ଶ କରାଇବ ।
ତୋ' ସହିତ ରହସ୍ୟର କଥା,
ସେହି ହିଁ ଆଜିଠାରୁ ନିଭୃତରେ କରିବ ।
ତୋର ତ ସେ ପ୍ରାପ୍ୟ ।
ଯେ ଯାହା ଭାବୁ , ଲକ୍ଷ୍ୟ ତୋର ସେଇଠିକି ।
ଯେଉଁ ଆଡକୁ ବଙ୍କେଇ ଦେଲେ ବି,
ତୋ ପଥ ମୋଡ଼ି ମୋଡ଼ି ହୋଇ,
ସିଧା ସେଇଠି ଦିନେ ମିଶିବ ।
ତୁ ତା'ର, ସେ ତୋ' ଆପଣାର ।
ରେ ଆତ୍ମା !
ତୁ ହେଲୁ ଆଜି ମୁକ୍ତ ।
ମହାଶୂନ୍ୟର ଆବର୍ତ୍ତନ ନିକଟକୁ ତୁ ଚାଲିଯା ।
ପଛରେ ଛାଡି ଗଲୁ ଏହି ଦେହର ଘର,
ପରିଚିତ ପରିଜନ, ଆତ୍ମୀୟ, ଆଉ ‘ମୁଁ’ ।
କିନ୍ତୁ ଦୁଃଖ କରନା ।
ମୁଁ ଥିଲି ଏତେ ଦିନ ତୋ ସହ ଆପଣାର ହୋଇ ।
ମିଛ ନଗରରେ, ଅଧା ସପନକୁ ଆଖିରେ ଧରି ବୁଲୁଥିଲେ ।
ଆଉ ଆଜି ଭରା ଆଞ୍ଜୁଳିରେ ଖଇ କଉଡ଼ିକୁ ପଛକୁ ପକାଇ,
ମତେ ସ୍ମରଣ କରି, ଶ୍ରଦ୍ଧା ଓ କୃତଜ୍ଞତା ଜଣାଇ,
ନବବଧୂ ହୋଇ ତୁ ଯା ।
ଯା ଆତ୍ମା ଯା !
କନ୍ୟା ଥିଲୁ, ଏବେ ବଧୂକା ।
ଅନ୍ୟ କାହାର ହେବୁ ଅନୁଗା ।
ସେଇ ମହାଶୂନ୍ୟ, ଏବେ ତୋର ପଥ,
ଲକ୍ଷ୍ୟ, ଅନ୍ନ ଜଳ, ପାଳକ, ପତି,
ଆଲୋକ , ଧର୍ମ ।
ତୋ ସଂଗେ ସେ ହିଁ ଏବେ ହାସ୍ୟରସ କରିବ ।
ରେ ଆତ୍ମା !
ତୁ ହେଲୁ ଏବେ ମୁକ୍ତ ।
ଥିଲୁ ଦିନେ ମୋ ସହ ସମ୍ପୃକ୍ତା ।
ହେ ମୋର ପରିଣୀତା ।
ମହାଶୂନ୍ୟର ଆବର୍ତ୍ତନ ନିକଟକୁ ତୁ ଚାଲିଯା ।